ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ପୁଣି ଫର୍ମକୁ ଫେରିବାକୁ ଚେଷ୍ଟା ଜାରି ରଖିଛି । ସଙ୍ଗଠନକୁ ସଜାଡିବାକୁ ଲାଗିପଡିଛନ୍ତି ପିସିସି ସଭାପତି । ଏଭଳି ସ୍ଥିତିରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଙ୍କ ବୟାନ ରାଜନୈତିକ ମାହୋଲକୁ ସରଗମର କରିଛି । ଜୟଦେବ କହିଛନ୍ତି, ‘‘୨୦୨୪ ନିର୍ବାଚନ ଆମ ପାଇଁ (କଂଗ୍ରେସ) ହେବ ଶେଷ ସୁଯୋଗ । ଯଦି ୨୦୨୪ରେ ଦଳ ଏକତ୍ରିତ ହୋଇ ସୁଦୃଢ ଭାବେ ନିର୍ବାଚନ ଲଢିପାରିବ ନାହିଁ, ତେବେ ଦଳକୁ ଭଗବାନ ମଧ୍ୟ ବଞ୍ଚାଇ ପାରିବେ ନାହିଁ’’ । ଜୟଦେବଙ୍କ ଏହି ବୟାନ ପରେ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି ।
ଜୟଦେବ କହିଛନ୍ତି କି, ‘‘ ରାଜ୍ୟରେ ବିଜେପି, ବିଜେଡି ସହ ମିଶିକରି ଅଛନ୍ତି । ସେହି ପରିସ୍ଥିତିରେ କଂଗ୍ରେସ ହେଉଛି ଏକ ମାତ୍ର ବିକଳ୍ପ । ଲୋକେ ବିଜେପି ଓ ବିଜେଡି ଠାରୁ ମୁହଁ ଫେରାଇଲେଣି । ତେଣୁ ୨୦୨୪ ହେଉଛି ଆମ ପାଇଁ ଶେଷ ସୁଯୋଗ । ୨୦୨୪ରେ ଯଦି କଂଗ୍ରେସ କ୍ଷମତାକୁ ଆସେ ୧୦ରୁ୧୫ ବର୍ଷ କ୍ଷମତାରେ ରହିବ ।’’
ଗୋଟେ ପଟେ ନୂଆ ପସିସି ସଭାପତି ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକ ସଂଗଠନ ସଜାଡି ଲଢେଇ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏପରି ସ୍ଥଳେ ଜୟଦେବଙ୍କ ଏହି ବୟାନ କଣ ପ୍ରଭାବ ପଡୁଛି ଦଳରେ ସମୟ କହିବ ।
ଇଟିଭି ଭାରତ, ଭୁବନେଶ୍ବର