ଭୁବନେଶ୍ବର: ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟର । ପଥର ଡ୍ୟାମ କାମ ପାଇଁ ଲାଞ୍ଚ ନେଉ ଥିବାବେଳେ ଧରିଲା ଭିଜିଲାନ୍ସ । ଗିରଫ ଦୁଇ କର୍ମଚାରୀଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
ସୂଚନା ଅନୁଯାୟୀ ନୂଆପଡା ପାନ୍ଥନିବାସ ନିକଟରେ ପଥର ଡ୍ୟାମ କାମ ପାଇଁ କ୍ରଣ୍ଟାକ୍ଟର ବିଲ୍ ପାସ୍ କରାଇବାକୁ ଚାଲିଥିଲା ଲାଞ୍ଚ ଡିଲ୍ । ଡିଲ୍ ବାବଦକୁ ଆସିଷ୍ଟାଣ୍ଡ ଇଞ୍ଜିନିୟର ପ୍ରଭାତ ନାୟକ ଏବଂ ଜୁନିୟର ଇଞ୍ଜିନିୟର କ୍ଷୀରୋଦ ଆଚାର୍ଯ୍ୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉ ଥିବାବେଳେ ଚଢାଉ କରିଛି କୋରାପୁଟ ଭିଜିଲାନ୍ସ ଟିମ୍ । ଏଥିସହ ଉଭୟଙ୍କ ଟଙ୍କପାଣି ରୋଡ୍, ପଟ୍ଟାମୁଣ୍ଡାଇ ଓ ଢେଙ୍କାନାଳ ପରଜଙ୍ଗ ସ୍ଥିତ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ।
ତେବେ ବିଲ୍ ପାସ୍ କରିବାକୁ ନେଇ ଦୁଇ କର୍ମଚାରୀ କ୍ରଣ୍ଟାକ୍ଟରଙ୍କୁ ବାରମ୍ବାର ଦୌଡାଇବା ସହ ଲାଞ୍ଚ ପାଇଁ କହିଥିଲେ । ଏନେଇ କ୍ରଣ୍ଟାକ୍ଟର ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଭିଜିଲାନ୍ସର ଯୋଜନା କ୍ରମେ କେମିକାଲ୍ ବୋଳା ଟଙ୍କା ନେଇ ସେମାନଙ୍କ କହିବା ମୁତାବକ ସ୍ଥାନରେ କ୍ରଣ୍ଟାକ୍ଟର ଟଙ୍କା ଦେବାବେଳେ ରେଡ୍ ହ୍ୟାଣ୍ଡ ଧରା ପଡିଛନ୍ତି ୨ କର୍ମଚାରୀ । ଅନ୍ୟପଟେ ଉଭୟ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରଙ୍କୁ ଭିଜିଲାନ୍ସ କେସ୍ ନଂ ୧୩ ଆଧାରରେ କୋର୍ଟଚାଲାଣ କରିଥିବା ଜଣାପଡିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ