ଭୁବନେଶ୍ବର: ଏଣିକି ଲୁଚାଛପା ନୁହେଁ, ଖୁଲମଖୁଲା ଚାଲିବ ବାର ଡ୍ୟାନ୍ସ । ବାର ଗାର୍ଲଙ୍କ ନାଚରେ ମତୁଆଲା ହେବେ ଗ୍ରାହକ । କାରଣ ରାଜଧାନୀର ୧୪ଟି ଡ୍ୟାନ୍ସ ବାର୍କୁ ଏଥିପାଇଁ ମିଳିସାରିଛି ଅନୁମତି । ହେଲେ ବାର ଖୋଲିବାକୁ ବାର୍ ମାଲିକଙ୍କୁ ମାନିବାକୁ ପଡିବ ପ୍ରଶାସନ ଦ୍ବାରା ପ୍ରସ୍ତୁତ ଗାଇଡଲାଇନ ।
ମ୍ୟୁଜିକର ତାଳେ ତାଳେ ଝୁମିବେ ବାରକୁ ଆସୁଥିବା ଗ୍ରାହାକ । ଦୀର୍ଘ ଦୁଇ ବର୍ଷ ଧରି କୋରୋନା ପାଇ ବନ୍ଦ ଥିବା ଡ୍ୟାନସ ବାରକୁ ଅବକାରୀ ବିଭାଗ ଦେଇଛି ଅନୁମତି । ଭୁବନେଶ୍ୱରରେ ୧୪ଟି ଡ୍ୟାନସବାରକୁ ଅନୁମତି ଦେଇଛନ୍ତି ଅବକାରୀ ଅଧୀକକ୍ଷ । ଏନେଇ ୧୪ଟି ଡ୍ୟାନ୍ସ ବାରରେ ଦେଖିବାକୁ ମିଳିବ ବାର ଗାର୍ଲଙ୍କ ଠୁମକା । ଏନେଇ ଭୁବନେଶ୍ୱର ରେନ ଦ କ୍ଲବ, ଲିଭ ଇଟ ଅପ, ସ୍ବାଗତ ବାର, ଦିପାଳି, ଉର୍ମି, ଗ୍ରିନ ଫିଲ୍ଡ, ଅଶୋକା, ରିଓ୍ବାଇଣ୍ଡ, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ମିଳିଛି ଅନୁମତି ।
ଏନେଇ ବାର କର୍ତ୍ତୃପକ୍ଷ ସ୍ଥାନୀୟ କମିଶନରେଟ ପୋଲିସ ଠାରୁ ଓଡିଶା ଅର୍ବାନପୋଲିସ ଆକ୍ଟ ଆଧାରରେ ମ୍ୟୁଜିକାଲ ଓ ଲାଉଡ ସ୍ପିକର ଅନୁମତି ସହ ଫାୟାର ସାର୍ଟିଫିକେଟ ଓ ଏକ୍ସାଇଜର ବାର ଗାର୍ଲଙ୍କ ପାଇଁ ଜାରି ହୋଇଥିବା ଗାଇଡଲାଇନ ଜରିଆରେ ବାର ମାଲିକ ଚଳାଇବେ ଡ୍ୟାନ୍ସ ବାର । ଏହା ସହିତ ବାଉନସର ବଦଳରେ ସ୍ୱୀକୃତିପ୍ରାପ୍ତ ଘରୋଇ ସିକ୍ୟୁରିଟି ସଂସ୍ଥାଠୁ ସିକ୍ୟୁରିଟି ଗାର୍ଡ ବାରରେ ରଖିବେ । ଏନେଇ ବାର ମାଲିକ ଡ୍ୟାନ୍ସ ବାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ପୋଲିସ ଦେଉଥିବା ଲାଇସେନ୍ସ ମାସିକିଆ ଥିବାରୁ ତାକୁ ବର୍ଷିକିଆ କରିବାକୁ ବାର ଆସୋସିଏସନ ଭୁବନେଶ୍ୱର ଡିସିପିଙ୍କୁ ଦେଖା କରି ଜଣାଇଛନ୍ତି ।
ସେମାନଙ୍କ ଆପତ୍ତି ଯେ, ଆବେଦନ ତାରିଖଠୁ ୫ ଦିନ ଲାଗୁଛି ଅନୁମତି ମିଳିବାକୁ । ଏହାପରେ ମାସକ ମଧ୍ୟରେ ଲାଇସେନ୍ସ ସରିବା ପରେ ପୁଣି ଦୌଡିବାକୁ ପଡୁଛି ଲାଇସେନ୍ସ ସେଲ । ତେଣୁ ବର୍ଷିକିୟା ଅନୁମତି ମିଳିବା ସହ ଲୋକାଲ ପୋଲିସର ସହଯୋଗ ପାଇଁ ଡିସିପିଙ୍କୁ ଜଣାଇଛନ୍ତି । ଅନୁମତି ପାଇଥିବା ଡ୍ୟାନ୍ସ ବାରର କିଛି ଗାଇଡଲାଇନ ରହିଛି । ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇ ପାରିବେନି ଗ୍ରାହକ । ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍ ମ୍ୟାନେଜରଙ୍କୁ ଦେଇପାରିବେ । ବାରଗାର୍ଲ କୌଣସି ପ୍ରକାରର ଉତ୍ତେଜିତପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ ନାହିଁ କି ଉତ୍ତେଜିତପୂର୍ଣ୍ଣ ଡ୍ୟାନ୍ସ କରିବେନାହିଁ ।
ସେହିପରି ୧୦ ଫୁଟ, ୧୨ ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ 8ଜଣ ଡ୍ୟାନ୍ସ କରିପାରିବେ । ଗୁରୁତ୍ବପୂର୍ଣ୍ଣ ବିଷୟ, ବାର ଚାରିପଟେ 3 ଫୁଟର ବାଡ ରହିବ ଏବଂ ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ 5 ଫୁଟର ଦୂରତା ରହିବ । 21 ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବ ନାହିଁ । ଆଉ ମହିଳା ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ଲାଗୁ କରିବେ ବାର କର୍ତ୍ତୃପକ୍ଷ । ଏଥିସହ ଡ୍ୟାନ୍ସରଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ । ବାର ଡ୍ୟାନ୍ସରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍ ରହିବ । ତତ୍ସହିତ ବାରରେ ଫାୟାର ସେଫ୍ଟି ବାଧ୍ୟତାମୂଳକ ରହିବା ସହ କୌଣସି ପରିସ୍ଥିତିରେ ଡ୍ୟାନ୍ସ ବାରରେ ସେକ୍ସ ରାକେଟ ଚାଲିବ ନାହିଁ । ଯଦି ସେମିତି କିଛି କାର୍ଯ୍ୟକଳାପର ସୂଚନା ମିଳେ ତେବେ 25ହଜାର ପର୍ଯ୍ୟନ୍ତ ଜେରିମାନା ସହ ବାରର ଲାଇସେନ୍ସ ରଦ୍ଦ ହେବାର କଟକଣା ଲଗାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ