ଭୁବନେଶ୍ବର : କୋରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦେଉଛନ୍ତି । ତେଣୁ ଦଳ ମତ ନିର୍ବିଶେଷରେ ସମସ୍ତେ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶ ଏବଂ ରାଜ୍ୟ କୋରୋନାର ଦ୍ବିତୀୟ ଲହର ଦ୍ବାରା ପ୍ରଭାବିତ ହୋଇଥିବାବେଳେ ଓଡ଼ିଆ ଲୋକମାନେ ଚିନ୍ତାରେ ଅଛନ୍ତି । କୋରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଷ୍ଟିଂ ବଢ଼ାଇବେ, ଟ୍ରେସିଂ କରିବା ଏବଂ ଟ୍ରିଟମେଣ୍ଟ କରିବା ଉପରେ ରଣନୀତି ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତ୍ରିନାଥ ରେଡ୍ଡୀ ଏହି କଥାକୁ ପ୍ରାଥମିକତା ଦେଇଛନ୍ତି ।
କିନ୍ତୁ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଲୋକଙ୍କ ମନରେ କୋରୋନା ପ୍ରତି ଭୟ ଓ ଭ୍ରାନ୍ତି ଧାରଣା ଥିବାରୁ ଟେଷ୍ଟିଂ କରିବାକୁ ଆସୁନାହାନ୍ତି । ବ୍ୟବସ୍ଥା ସତ୍ତ୍ୱେ ନାଗରିକମାନେ ଟେଷ୍ଟି କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ । ରାଜ୍ୟର ଗ୍ରାମାଞ୍ଚଳର ଜନଜାତି ବସତି ଅଞ୍ଚଳରେ ଟେଷ୍ଟିଂ ପାଇଁ କୁଣ୍ଠାବୋଧ ଦେଖାଯାଇଛି । ଟେଷ୍ଟିଂ ପାଇଁ ଲୋକଙ୍କୁ ପ୍ରୋତ୍ସାହନ କରିବା କେବଳ ସରକାରଙ୍କ ଦାୟିତ୍ବ ନୁହେଁ ବରଂ ସମାଜ ବା ଆମ ସମସ୍ତଙ୍କର ଦାୟିତ୍ବ ।
ଗଣତନ୍ତ୍ରରେ ଶାସନ ସମ୍ଭାଳିବା ପାଇଁ ବହୁମତର ଆବଶ୍ୟକତା ଥାଏ । କିନ୍ତୁ ଯେତେବେଳେ ଜାତୀୟ ବିପତ୍ତି ହୁଏ । ସଂକଟ ଆସେ । ସେତେବେଳେ କ୍ରାଇସିସ୍ ମ୍ୟାନେଜମେଣ୍ଟ କମିଟି ଗଠନ ହେବାର ଆବଶ୍ୟକତା ଥାଏ । ସର୍ବମତି ପ୍ରାଥମିକତା ଦେବାର ଆବଶ୍ୟକତା ଥାଏ । ସମାଜର ସବୁ ବ୍ୟକ୍ତିତ୍ଵ ମାନଙ୍କୁ ମିଶାଇ ରାଜନୈତିକ ଦଳ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଛୋଟ ମଠ, ମନ୍ଦିର, ମହିଳା ମଣ୍ଡଳ, ଯୁବ ସଂଗଠନ, ସଂଗଠନ ସମୂହ ତଥା ଏ ସମସ୍ତଙ୍କୁ ମିଶାଇ ବହୁମତକୁ ଏକାଠି କରି ସମାଜକୁ ସମ୍ଭାଳିବାର ଆବଶ୍ୟକତା ରହିଛି । ଏହା ହିଁ ପରିପକ୍ୱ ଗଣତନ୍ତ୍ରରେ ବଡ଼ ଆବଶ୍ୟକତା । ଆମ ରାଜ୍ୟରେ ସମସ୍ତଙ୍କ ଦାୟିତ୍ଵକୁ ଜନଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ରହିଛି । ଜନଆନ୍ଦୋଳନ ଏବଂ ଭାଗିଦାରୀ ଓଡ଼ିଶା ପାଇଁ ବଡ଼ ଆବଶ୍ୟକତା ରହିଛି ।
ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଅଧିକ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । ଠିକ୍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବାବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟ ଓଡ଼ିଶା ଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି ।
ପ୍ରତିଷ୍ଠିତ ବରିଷ୍ଠ ଶିଳ୍ପପତି ଅଜିତ୍ ପ୍ରେମଜୀଙ୍କ ମତରେ କରୋନାକୁ ହରାଇବା ପାଇଁ ରାସ୍ତା ହେଉଛି ସତ୍ୟ ଏବଂ ବିଜ୍ଞାନ । ସବୁଠି ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ । ରାଜ୍ୟର ୨୩ଟି ଜିଲ୍ଲାରେ ଟେଷ୍ଟିଂ ହାର ଜାତୀୟ ଟେଷ୍ଟିଂ ଠାରୁ କମରେ ରହିଛି । ବିଶେଷ ଭାବରେ ସମ୍ବଲପୁର, ଅନୁଗୁଳ, ବରଗଡ, ସୁନ୍ଦରଗଡ଼ ଓ କଳହାଣ୍ଡି ଭଳି ରାଜ୍ୟର ୧୪ଟି ଜିଲ୍ଲାରେ ପଜିଟିଭ ରେଟ୍ ଜାତୀୟ ପଜିଟିଭ ରେଟ୍ ଠାରୁ ଅଧିକ ରହିଛି । ଏସବୁକୁ ଦେଖିଲେ ଏଠାରେ ଟେଷ୍ଟିଂ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସରକାର ବ୍ୟବସ୍ଥା କରିବେ କିନ୍ତୁ କେବଳ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ବ ନୁହେଁ । ବରଂ ଲୋକଙ୍କୁ ଏକାଠି କରିବା ପାଇଁ ପଡ଼ିବ । ସବୁ ଓଡ଼ିଆ ଲୋକମାନଙ୍କର ଦାୟିତ୍ବ ସବୁ ଭେଦ ଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସମାଜରୁ ବାହାର କରିବାକୁ ପଡିବ । ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଣ୍ଟକୁ ପ୍ରାଥମିକତା ଦେବା ପାଇଁ ପଡ଼ିବ । ମୋର ବିଶ୍ବାସ ଓଡ଼ିଆ ଲୋକଙ୍କ ଅଦମ୍ୟ ସାହାସରେ କୋଭିଡକୁ ପରାସ୍ତ କରିବା ପାଇଁ ଏହାକୁ ଜନଆନ୍ଦୋଳନରେ ପରିଣତ କରାଯାଇପାରିବ ।
ଦେଶର ପଶ୍ଚିମାଂଚଳ ଓ ଉତ୍ତରାଂଚଳ ଧୀରେଧୀରେ କରୋନାର ସ୍ଥିତାବସ୍ଥା ସୁଧୁରୁଛି । ଦକ୍ଷିଣଅଞ୍ଚଳରେ ଏବେ କରୋନାର ରୂପ ଦେଖାଉଛି । ଏହାକୁ ଧୈର୍ଯ୍ୟର ସହ ବୁଦ୍ଧି ଓ ସାହାସ ଦେଖାଇ ସମାଜ କରୋନା ମୁକାବିଲାର ସାମ୍ନା କରୁଛି । ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର, ସାମାଜିକ ସଂଗଠନ, ନାଗରିକମାନେ ଏଭଳି ଅଭାବନୀୟ ସ୍ଥିତିକୁ ସାମ୍ନା କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । କରୋନା ଯୋଦ୍ଧା ବିଶେଷ ଭାବରେ ଡ଼ାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପାରାମେଡ଼ିକାଲ, ପୋଲିସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଲୋକମାନେ, ଗ୍ୟାସ ଡେଲିଭରି ବୟ ସମସ୍ତେ ଏହି ସମୟରେ ସେବା ଯୋଗାଇ ଆସୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ