ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । କ୍ୟାବିନେଟ ବୈଠକରେ ଆଜି ୧୨ଟି ପ୍ରସ୍ତାବକୁ ମୋହର ମାରିଛି । ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ, ସାଧାରଣ ପ୍ରଶାସନ ଏବଂ ଜନସାଧାରଣଙ୍କ ଅଭିଯୋଗ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ପ୍ରସ୍ତାବ ରହିଛି ।
ରାଜ୍ୟ ସରକାର ସରକାରୀ ଚାକିରୀ ଆବେଦନ ପାଇଁ ବୟସ ସୀମାକୁ 3 ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ୨୦୨୨ ମସିହାରେ ଓଡିଶା ଅଣ-ସରକାରୀ କଲେଜ, ଜୁନିଅର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅନୁଦାନକୁ ମଧ୍ୟ ମଞ୍ଜୁର କରାଯାଇଛି । ରାଜ୍ୟର ବହୁ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ମଞ୍ଜୁର କରିଛି ।
ଚାକିରି ବୟସ ସମୟ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗଙ୍କ ପାଇଁ ଚାକିରି ବୟସ ସୀମା ୪୩କୁ ବୃଦ୍ଧି କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରୀ ପଦବୀ ବା ଚାକିରୀ ଆବେଦନ ପାଇଁ ଉଚ୍ଚ ବୟସ ସୀମା , ଓଡ଼ିଶା ବେସାମରିକ ସେବା ( ଉଚ୍ଚ ବୟସ ସୀମା ସ୍ଥିରୀକରଣ ) ନିୟମ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ । ଏହି ନିୟମାବଳୀର ନିୟମ ୨ ଅନୁଯାୟୀ, ସରକାରୀ ଚାକିରିରେ ଆବେଦନ ପାଇଁ ବୟସ ସୀମା ୩୨ ବର୍ଷ ରହିଥିଲା ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା ଏବଂ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସ ସୀମା କୋହଳ କରାଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଏବଂ ତତଦ୍ବାର ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସସୀମା ଶେଷ ହୋଇଯାଉଛି । ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉ ନଥିବାର ସରକାରଙ୍କ ନଜରକୁ ଆସିଛି ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ୩ ନିଯୁକ୍ତି କ୍ୟାଲେଣ୍ଡର ବର୍ଷରେ ଅର୍ଥାତ୍ ୨୦୨୧, ୨୦୨୨ ଏବଂ ୨୦୨୩ରେ ଜାରି ହୋଇଥିବା ବା ଜାରି ହେବାକୁ ଥିବା ବିଜ୍ଞାପନ ପାଇଁ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା ଏବଂ ଦିବ୍ୟଙ୍ଗଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସ ସୀମା କୋହଳ ହେବ ।
ସେପଟେ ରାଜ୍ୟର ବହୁ ମେଗା ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ମଞ୍ଜୁର କରିଛି । ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲା ବାରିପଦା, କପ୍ତିପଦା, ସମଖୁଣ୍ଟା, କଟକ ଜିଲ୍ଲାର ବାଙ୍କୀ, ବାରଙ୍ଗ, ଡମପଡ଼ା, ସରସକଣା, କୁଳିଅଣା ଏବଂ ବାଙ୍ଗିରିପୋସିରେ ପାଇପ୍ ଜଳ ଯୋଗାଣ ହେବ । ସେହିଭଳି ସମ୍ବଲପୁର ଜିଲ୍ଲାର ଜୁଜୁମୋରା, ମାନେଶ୍ୱର ନାକ୍ଟିଦେଉଳା, ରାଇରାଖୋଲ ବ୍ଲକରେ ଏହି ପାଇପ୍ ଜଳ ଯୋଗାଣ ଯୋଜନାର ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ଠାରୁ ୨ ବର୍ଷ ମଧ୍ୟରେ ଶେଷ ହେବ । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ