ଭୁବନେଶ୍ବର: ଆସନ୍ତା 11 ରୁ 13 ପ୍ରବଳରୁ ଅତି ପ୍ରବଳ ବର୍ଷା । ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୧୧ ରୁ ଓଡ଼ିଶାରେ ପ୍ରବଳ ବର୍ଷିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଶୁକ୍ରବାର ସକାଳ ୧୦ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଅବପାତରେ ପରିଣତ ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।
କାଳକ୍ରମେ ତୀବ୍ର ଅବପାତରେ ପରିଣତ ହୋଇ ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୧୧ ରୁ ୧୩ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା 24 ଘଣ୍ଟା, ଶନିବାର ମଧ୍ୟରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ତେବେ 11 ରୁ 13 ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 11 ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଓ ରାୟଗଡାରେ ପ୍ରବଳ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘଣ୍ଟା ପ୍ରତି 45 ରୁ 55 କିମି ବେଗରେ ପବନ ବହିବ, ସମୁଦ୍ର ଅଶାନ୍ତ ହେବ, ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ କରାଯାଇଛି । ସେହିଭଳି ଗତ 24 ଘଣ୍ଟା ଭିତରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ସର୍ବାଧିକ 53.0ମିମି ବର୍ଷା ହୋଇଛି । ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ 35.6 ଓ ବୋରିଗୁମ୍ମାରେ 35.8 ମିମି ବର୍ଷା ରେକର୍ଡ କରାଯାଇଛି ।

