ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର । ବର୍ଷା ଜଳରେ ବୁଡ଼ିଲା ପୋଲିସ ଫାଣ୍ଡି । ଫାଣ୍ଡି ଭିତରେ ପାଣି ପଶିଯାଇଥିବାରୁ ଫାଣ୍ଡି ଭିତରେ ଥିବା ପୋଲିସ କର୍ମଚାରୀଙ୍କ ଜିନିଷ ପତ୍ର ସମେତ ବିଭିନ୍ନ ଅଫିସ କାଗଜ ପତ୍ର ବର୍ଷା ଜଳରେ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଭଦ୍ରକ ସହର ବନ୍ତ ଛକ ନିକଟରେ ଥିବା ସାଳନ୍ଦୀ ଫାଣ୍ଡି ପରିସରରେ ବର୍ଷା ଜଳ ଲହଡି ଭାଙ୍ଗୁଥିବାର ଦେଖିବାକୁ ମିଳିଥିଲା । ଲଘୁଚାପ ଜନିତ ଲଗାଣ ବର୍ଷା ଭଦ୍ରକରେ ଜାରି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଦଶହରା ସମ୍ପୂର୍ଣ୍ଣ ଫିକା ପଡିଛି । ତେବେ ୨ ବର୍ଷ ପରେ ବିନା କଟକଣାରେ ଦୁ୍ର୍ଗାପୂଜା ହେଉଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିଲା । ଲୋକମାନେ ମେଢ ବୁଲିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଥିବାବେଳେ ବର୍ଷା ଯୋଗୁଁ ଫିକା ପଢିଥିଲା ଦଶହରା ।
ଏହା ମଧ୍ୟ ପଢନ୍ତୁ: Weather Update: ଆଜିଠୁ ରାଜ୍ୟରେ କମିବ ବର୍ଷା
ସୂଚନାଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିଲା । ଭୁବନେଶ୍ବର ଏବଂ କଟକରେ ବର୍ଷା ଜାରି ରହିଥିବା ବେଳେ ଘଣ୍ଟାପ୍ରତି 2ରୁ 3 ସେମି ବର୍ଷା ହୋଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ଦୁର୍ବଳ ହେବା ପରେ ବୁଧବାର ରାତିରୁ ବର୍ଷା କମିବାର ସମ୍ଭାବନା ରହିଛି । ଏବେ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୩୧ କିମି ଯାଏଁ ସକ୍ରିୟ ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ବିସ୍ତୃତି ବର୍ଷା ସହ ଦୁଇଟି ସ୍ଥାନରେ ଅତି ପ୍ରବଳ ଓ ୩୪ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ବୁଧବାର ସକାଳୁ ରାଜଧାନୀ ଭୁବନେଶ୍ବରରେ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ହେଉଛି । ମଙ୍ଗଳବାର ଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କରାଯାଇଥିଲା ।