ବ୍ରହ୍ମପୁର: ମୁଖ୍ୟ ରାସ୍ତାକଡରେ ସନ୍ତାନ ପ୍ରସବ କରିଛନ୍ତି ଜଣେ ମହିଳା । ଘଟଣାଟି କୌଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର କୋର୍ଟପେଟା ଛକର ଦୃଶ୍ୟ । ତେବେ କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ପଢନ୍ତୁ ...
ଜିଲ୍ଲାର ପାତ୍ରପୁର ଜୟନ୍ତୀପୁର ଅଞ୍ଚଳର ଏହି ମହିଳା ଜଣଙ୍କ ସକାଳ ସମୟରେ ସାଥୀରେ ଏକ 4ବର୍ଷର ପୁତ୍ର ସନ୍ତାନକୁ ନେଇ ଅଲ୍ଟ୍ରାସାଉଣ୍ଡ କରିବାକୁ ଯାଉଥିଲେ । ହଠାତ୍ ରାସ୍ତାରେ ମହିଳା ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ଏହି ଘଟଣାକୁ ଦେଖି ସେହି ରାସ୍ତାରେ ଯାଉଥିବା ଦୁଇ ଜଣ ଡାକ୍ତରଙ୍କ ସହ ସ୍ଥାନୀୟ ଏକ ଘରୋଇ ପାଥୋଲୋଜିର ନର୍ସଙ୍କ ସମେତ କେତେକ ମହିଳା ଉପସ୍ଥିତ ବୁଦ୍ଧି ପ୍ରଯୋଗ କରି ଚତୁଃପାର୍ଶ୍ବକୁ ଲୁଗାରେ ଆବଦ୍ଧ କରାଇ ସୁରକ୍ଷିତ ଭାବରେ ପ୍ରସବ କରାଇଥିଲେ । ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଭଭୟ ସୁସ୍ଥ ରହିଥିବା କୁହାଯାଇଛି । ଅନ୍ୟପଟେ ଉପସ୍ଥିତ ସ୍ଥାନୀୟ ଜନତା, ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେବା ପରେ ମହିଳାଙ୍କର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଦିଆଯାଇଥିଲା । ହେଲେ ପ୍ରସୂତି ଜଣଙ୍କ ରାସ୍ତା କଡରେ ସନ୍ତାନ ପ୍ରସବ କରାଇବାର ପ୍ରାୟ 45 ମିନିଟ୍ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବରେ ପ୍ରସବ କରାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି । ହେଲେ ବ୍ରହ୍ମପୁର ସହରର ରାସ୍ତାକଡରେ ମହିଳାଙ୍କ ସନ୍ତାନ ପ୍ରସବ କରାଇବା ଏବଂ ସାଥୀରେ କୌଣସି ଆଶାକର୍ମୀ ନଥିବା ଦେଖିବାକୁ ମିଳିଥିଲା । କିଭଳି ଏବଂ କେଉଁ ପରିସ୍ଥିତିରେ ମହିଳା ଜଣଙ୍କ ବ୍ରହ୍ମପୁର ଆସିଲେ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ