ବ୍ରହ୍ମପୁର: ଗତ ୨୩ ତାରିଖ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗଞ୍ଜେଇ ବ୍ଯବସାୟକୁ କେନ୍ଦ୍ର କରି ଏଭଳି ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।
ତେବେ ଗିରଫ ଯୁବକ ହେଲେ ଗଜପତି ଜିଲ୍ଲା ଅଡବା ଥାନା କାଲିବୁରେଇ ଗ୍ରାମର ଟୁକୁନା ଶବର ଓ ନଡାମ ଗ୍ରାମର କମଳ ଲୋଚନ ଗମାଙ୍ଗ । ଖବରନୁଯାୟୀ, ଗତ ୨୩ ତାରିଖ ଦିନ ଅପରାହ୍ନରେ ଗଞ୍ଜେଇ ବ୍ଯବସାୟକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କରୁଣାକର ଦାସଙ୍କ ୨୩ ବର୍ଷୀୟ ପୁତ୍ର ବିଭୁପ୍ରସାଦ ଦାସ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ସାନଖେମୁଣ୍ଡି ଅଞ୍ଚଳର ତାରିଣୀ ମଣ୍ଡଳ ନାମକ ଜଣେ ଯୁବକ ଫୋନ କରି ବେପାରର ହିସାବ କିତାବ ବୁଝାସୁଝା କରିବା ପାଇଁ ଡ଼କାଇଥିଲେ। ଏହା ପରେ ମୃତ ବିଭୁ ଓ ତାର ଦୁଇ ସହଯୋଗୀ ଏକ କାର ଯୋଗେ ପାଟପୁର ଥାନା ତପ୍ତପାଣି ଗ୍ରାମ ନିକଟରେ ପହଞ୍ଚିଥିଲେ । ବିଭୂଙ୍କୁ ରାସ୍ତାରୁ ହଟାଇବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ମାଷ୍ଟର ମାଇଣ୍ଡ ତାରିଣୀ ଓ ତାର ଅନ୍ଯ ସହଯୋଗୀମାନେ ପ୍ରଥମେ ବିଭୂଙ୍କୁ ଅପହରଣ କରିଥିଲେ।
ଘଟଣା ପରେ ବିଭୁଙ୍କ ଦୁଇ ସାଙ୍ଗ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ଯାଇଥିଲେ ମଧ୍ୟ ବିଭୁ ଅପରାଧୀ କବଳରୁ ବର୍ତ୍ତିପାରିନଥିଲେ । ଏନେଇ ଖସି ଆସିଥିବା ବିଭୁଙ୍କ ସହଯୋଗୀ ତଥା ଦାଦା କଳିଙ୍ଗ କୁମାର ଦାସଙ୍କୁ ଘଟଣା ସମ୍ପର୍କରେ ୨୫ ତାରିଖ ଦିନ ପାଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଭିତ୍ତି କରି ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଭୂଙ୍କ ଗଳିତ ମୃତଦେହ ୨୬ ତାରିଖ ଦିନ ଗଞ୍ଜାମ-ଗଜପତି ସିମାନ୍ତ ଅଞ୍ଚଳ ତପ୍ତପାଣି ନିକଟସ୍ଥ ଶ୍ରୀରାମ ନଗର ଜଙ୍ଗଲର ଏକ ଗଛବୁଦା ମୂଳରୁ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା ।
ଘଟଣା ପରେ ପାଟପୁର ପୋଲିସ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଥିବା ବେଳେ ଶେଷରେ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ମୃତ ବିଭୂଙ୍କୁ ହତ୍ୟା ମାମଲାରେ ଜଡିତ ଥିବା ଟୁକୁନାଙ୍କୁ ନିଜ ଘରୁ ଏବଂ କମଳ ଲୋଚନକୁ ମୋହନା ଅଞ୍ଚଳରୁ କାବୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ତାରିଣୀ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ବେଳେ ଏହି ଘଟଣାର ଆଉ କେହି ସଂପୃକ୍ତ ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ