ବ୍ରହ୍ମପୁର: ଗତ କିଛିଦିନ ହେଲା ଚର୍ଚ୍ଚାରେ ରହିଥିବା ଏମକେସିଜିରୁ(MKCG Medical) ବର୍ତ୍ତମାନ ପୁଣି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଏମକେସିଜିର ଏସ୍ଏନ୍ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ହୃଦରୋଗ ଚିକିତ୍ସା ପାଇଁ ତିନିଟି ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଦିଆଯାଉଛି ଅକ୍ସିଜେନ୍ । ଏହାସହ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ତିନିଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ଯୋଗାଇ ଚିକିତ୍ସା କରିବା ପାଇଁ ପ୍ରାୟ ପାଞ୍ଚ ଶହ ମିଟର ଚାଲି ଚାଲି ପରିବାର ବର୍ଗ ସୁପରସ୍ପୋଶାଲିଷ୍ଟ ବ୍ଲକରେ ପହଞ୍ଚି ପୁଣି ଫେରିବା ଘଟଣା ବର୍ତ୍ତମାନ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ଚୀନ ସୀମାରୁ ୨ ଭାରତୀୟ ନିଖୋଜ, ମିଳୁନି ପତ୍ତା
ରାଜ୍ୟ ତଥା କେନ୍ଦ୍ର ସରକାର ଚିକିତ୍ସା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ବିକଳ ଚିତ୍ର ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଅନୁସାରେ, ଗଞ୍ଜାମ ଜିଲ୍ଲା ସମେତ ପୋଡଶୀ କେତେକ ଜିଲ୍ଲାରେ ହୃଦରୋଗରେ ଆକ୍ରାନ୍ତ ହୋଇ ଚାରି ଜଣ ଶିଶୁ ବ୍ରହ୍ମପୁର ଏମ.କେସିଜି ର ଏନ୍.ଏନ୍.ସି.ୟୁ ବିଭାଗରେ ଚିକିତ୍ସିତ ହେଉଥିଲେ । ହେଲେ ଶିଶୁରୋଗ ବିଭାଗର ଉକ୍ତ ଚାରୋଟି ଶିଶୁଙ୍କ ମଧ୍ୟରୁ ତିନି ଜଣଙ୍କୁ ଅକ୍ସିଜେନ୍ ଲଗାଯାଇ ଚିକିତ୍ସା କରାଯାଉଥିଲା ।ତେବେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଦିଆଯାଇଥିଲା।
ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବା ବେଳେ, ଶିଶୁମାନଙ୍କୁ ହାତରେ ଧରି ସେମାନଙ୍କର ମା’ମାନେ ପଛପଛେ ଯାଉଥିଲେ। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗୋଟିଏ ଅକ୍ସିଜେନ୍ ସିଲେଣ୍ଡରେ ତିନି ଜଣ ଶିଶୁଙ୍କୁ ଅକ୍ସିଜେନ୍ ସଂଯୋଗ କରାଯିବା ସହ ଗୋଟିଏ ବିଭାଗରୁ ଅନ୍ୟ ଏକ ବିଭାଗକୁ ବିପଦ ସଙ୍କୁଳ ଅବସ୍ଥାରେ ନେବା ଆଣିବା କରିବାକୁ ଅନୁମତି ଦିଆଯିବା ଚିନ୍ତାର ବିଷୟ ବୋଲି କୁହାଯାଇପାରେ । ନବଜାତମାନଙ୍କୁ ଏପରି ଅକ୍ସିଜେନ୍ ଦେବା କେତେ ସୁରକ୍ଷିତ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବ୍ରହ୍ମପୁର