ବ୍ରହ୍ମପୁର: କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ଟଳିପଡିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ବୁରୁଝରୀ ଗ୍ରାମରେ । କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଜଣେ କ୍ରିକେଟ ଖେଳାଳି ରନ ନେବା ପାଇଁ ଦୌଡିବା ବେଳେ ହଠାତ ତଳେ ପଡିଯାଇ ମୃତ୍ୟୁବରଣ କରିଛନ୍ତି ।
ସୂଚନାଅନୁଯାୟୀ ବେଗୁନିଆପଡା ବ୍ଲକର ବୁରୁଝରୀ ଠାରେ ଏକ କ୍ରିକେଟ ମ୍ୟାଚ ଚାଲିଥିଲା । ସେଠାରେ ବୁରୁଝରୀ ଓ ଚିଙ୍ଗୁଡ଼ିଖୋଲ ଗାଁ ମଧ୍ୟରେ ଏକ ମ୍ୟାଚ ଚାଲିଥିଲା l ମ୍ୟାଚଟି ଅତି ରୋଚକ ମୋଡରେ ଚାଲିଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମର ଗନ୍ତେଇ ଗୌଡ଼ଙ୍କ ୩୦ ବର୍ଷୀୟ ପୁଅ ନାରାୟଣ ଗୌଡ଼ ଖେଳୁଥିଲେ । ଏହି ମ୍ୟାଚରେ ବ୍ୟାଟିଙ୍ଗ କରି ରନ ନେଉଥିବା ବେଳେ ବ୍ୟାଟ ସହ ଖେଳ ପଡିଆରେ ହଠାତ ଟଳିପଡିଥିଲେ l ତୁରନ୍ତ ସାଥି ଖେଳାଳି ମାନେ କ୍ରିକେଟ ମ୍ୟାଚକୁ ବନ୍ଦ କରି ନାରାୟଣକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଏକ ମାତ୍ର ପୁଅକୁ ହରାଇ ଚିଙ୍ଗୁଡ଼ିଖୋଲ ଗ୍ରାମର ଗନ୍ତେଇ ଗୌଡ଼ଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଏହି ଘଟଣା କ୍ରିକେଟ ଖେଳାଳିମାନଙ୍କୁ ମର୍ମାହତ କରିଛି l ତେବେ ନାରାୟଣଙ୍କ କିଭଳି ମୃତ୍ୟୁ ହେଲା ତାହା ବ୍ୟବଛେଦ ପରେ ସ୍ପଷ୍ଟ ହେବ ବୋଲି ଖଲ୍ଲିକୋଟ ମେଡିକାଲ ଇନଚାର୍ଜ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ