ବ୍ରହ୍ମପୁର: ମଦ ଭାଟି ବନ୍ଦ କରିବା ଦାବିରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ତାଳପଡା ଗାଁରେ ଆନ୍ଦୋଳନ । ସୁସ୍ଥ ତାଳପଡା ଗାଁ ଗଠନ ପାଇଁ ଦାବି କରି ମିଶନ ଶକ୍ତି ପକ୍ଷରୁ ଶହ ଶହ ମହିଳା ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଳପଡା ଗାଁରେ ଦେଶୀ ମଦ ଭାଟି ରହିଥିବାରୁ ପୋଚପାଣି ବାରସର ମୁଖ୍ୟରାସ୍ତା ଓ ତାଳପଡା ଗାଁର 4ଟି ଅଙ୍ଗନୱାଡି କେନ୍ଦ୍ରଗୁଡିକର ପରିବେଶ ପ୍ରଦୂଷଣ ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ହୋଇଛି । ଏନେଇ ଆନ୍ଦୋଳନକାରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।
ଦୀର୍ଘ 8 ବର୍ଷ ଧରି ଗାଁରେ ଚାଲିଥିବା ଦେଶୀ ମଦଭାଟି ବିରୁଦ୍ଧରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ପୁସ୍ତପୁର ଠାରୁ ବାରସର ମୁଖ୍ୟରାସ୍ତାର ପୂର୍ବପାର୍ଶ୍ବରେ ପ୍ରାୟ ୩୦ ମିଟର ଦୂରରେ ଏହି ଦେଶୀ ମଦ ତିଆରି ଭାଟି ରହିଛି । ସେହି ରାସ୍ତାର ପଶ୍ଚିମ ପାର୍ଶ୍ବରେ ଗାଁର ପୋଖରୀ ରହିଥିବାରୁ ପୋଖରୀ କଡରେ ମାର୍କେଟ କମ୍ପ୍ଲେକ୍ସ ଓ ଚାରୋଟି ନୂତନ ଅଙ୍ଗନୱାଡି କେନ୍ଦ୍ର ପଛ ପଟେ ଉକ୍ତ ପୋଚାପାଣୀ ଗୁଡାକ ମୁଖ୍ୟରାସ୍ତା ଡେଇଁ ମାର୍କେଟ କମ୍ପ୍ଲେକ୍ସ ଦେଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଏହାକୁ ପ୍ରଶାସନ ପକ୍ଷରୁ ବିରୋଦ୍ଧ କରାଯାଇଛି ।
ଏନେଇ ଏକ ଦାବି ପତ୍ର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅବକାରୀ ବିଭାଗ ଅଧିକ୍ଷକ, ଖଲ୍ଲିକୋଟର ଉଭୟ ଅବକାରୀ ଓ ପୋଲିସ ବିଭାଗର ଅଧିକାରୀଙ୍କ ଦାବି ପତ୍ର ପ୍ରଦାନ କରାଯାଇଛି । ଗ୍ରାମବାସୀଙ୍କ ଏହି ଦାବି ପ୍ରତି ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ