ବ୍ରହ୍ମପୁର: ପୁଣି ଆତ୍ମହତ୍ୟା କଲେ ନବବଧୂ । ଯୌତୁକ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଜଣକ ସ୍ଥାନୀୟ ହିଞ୍ଜିଳି ସହରର ସୋମପୁର ଅଞ୍ଚଳର ଭିକାରୀ ସାହୁଙ୍କ ପତ୍ନୀ ରାଜେଶ୍ୱରୀ ସାହୁ ।
ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡାର ବିଜୟ ସାହୁଙ୍କ ଝିଅ ରାଜେଶ୍ୱରୀ ସହ ହିଞ୍ଜିଳିକାଟୁ ଅଞ୍ଚଳର ରଜାସାହି ବାସୀନ୍ଦା ରାମହରି ସାହୁଙ୍କ ପୁଅ ଭିକାରୀଙ୍କ ସହ ୨୦୧୯ ମସିହାରେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ଯୌତୁକ ଦେଇଥିଲେ ରାଜେଶ୍ବରୀଙ୍କ ବାପଘର ଲୋକେ । ହେଲେ ଶ୍ବଶୁରଘର ଲୋକେ ରାଜେଶ୍ୱରୀଙ୍କୁ ଦୁର୍ବ୍ୟବହାର କରି ମାନସିକ ନିର୍ଯାତନା ଦେଉଥିଲେ ବୋଲି ମୃତ ରାଜେଶ୍ବରୀଙ୍କ ବାପା ଅଭିଯୋଗ କରିଛନ୍ତି ।
ଆଜି(ଶୁକ୍ରବାର) ଅପରାହ୍ନରେ ରାଜେଶ୍ବରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଶ୍ବଶୁରଘର ଲୋକେବିଜୟଗଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଝିଅର ଶ୍ବଶୁରଘରେ ପହଞ୍ଚି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ରାଜେଶ୍ବରୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଆସନ୍ତାକାଲି(ଶନିବାର) ସକାଳେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏନେଇ ହିଞ୍ଜିଳି ଥାନାରେ ମୃତ ମହିଳାଙ୍କ ବାପା ବିଜୟ ସାହୁ ଅଭିଯୋଗ କରିବା ପରେ ହିଞ୍ଜିଳି ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ