ବ୍ରହ୍ମପୁର: ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ବେଳେ ଏସଟିଏଫର ଚଢାଉ। ଗଞ୍ଜାମର ସାନଘାଟିରେ ଚଢାଉ କରି ୩୨ ଟନରୁ ଉର୍ଦ୍ଧ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ସମେତ ଟ୍ରକ, ଜେସିବି ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥି ସହ ୭ଜଣଙ୍କୁ ଗିରଫ କରିଛି ଏସଟିଏଫ । ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଅଞ୍ଚଳରେ ହାର୍ଡ କୋକ୍ ନାମକ ଲଘୁ ଖଣିଜ ଦ୍ରବ୍ୟ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସ୍ପେଶାଲ ଟାସ୍କ ଫୋର୍ସ ।
![ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ବେଳେ ମାଡିବସିଲା ଏସଟିଏଫ, ୭ ଗିରଫ](https://etvbharatimages.akamaized.net/etvbharat/prod-images/od-bam-stf-team-raid-seven-arrest-7205524_25082022232040_2508f_1661449840_939.jpg)
ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରି ୩୩ ଟନରୁ ଉର୍ଦ୍ଧ ପରିମାଣର ଲଘୁ ଖଣିଜ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଥିଲା । ୭ ଅଭିଯୁକ୍ତ ହେଉଛନ୍ତି କଟକ ଗୁରଝଟିଆ ଥାନା ଅଞ୍ଚଳର ସରୋଜ ସାହୁ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ବଳିଆ ନାୟକ, ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଉତ୍ତମ ବେହେରା, ମଧ୍ୟପ୍ରଦେଶ ଯୌଧପୁରର ଶିବମ ଶର୍ମା, ଇନ୍ଦୋରର ହରି ସିଙ୍ଗ, ମହାରାଷ୍ଟ୍ର ସଙ୍ଗଲି ଜିଲ୍ଲାର ରାମ ଲୋହାର ଏବଂ ଟିଟଲି ଜିଲ୍ଲାର ଇସରାଇଲ ୱାସିର ମହମ୍ମଦ ।
ଲଘୁ ଖଣିଜ ଦ୍ରବ୍ୟ ସମେତ ଦୁଇଟି ଟ୍ରକ, ଗୋଟିଏ ଜେସିବି ମେସିନ ମଧ୍ୟ ଜବତ କରିଛି STF । ଏନେଇ ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ହାର୍ଡ କୋକ୍ ନାମକ ଲଘୁ ଖଣିଜ ଦ୍ରବ୍ୟ କେଉଁଠାରୁ ଆସୁଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ବେଆଇନ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମରେ ନିଆଯିବ କଡା ପଦକ୍ଷେପ: ଜିଲ୍ଲାପାଳ
ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମ ଜିଲ୍ଲାରେ କଡା ପଦକ୍ଷେପ ଗ୍ରହଣ କରାଯିବା ନେଇ ଜୁଲାଇ ୫ ତାରିଖରେ ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାରେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନିଆଯିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୬୭୪୨୧୯୭୦୮ ଟଙ୍କା ଅର୍ଥାତ୍ ୯୭.୯ପ୍ରତିଶତ ରାଜସ୍ବ ଆଦାୟ କରାଯାଇଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଜୁଲାଇ ସୁଦ୍ଧା ୧୮୯୯୧୧୭୫୯ଟଙ୍କା ଅର୍ଥାତ୍ ୨୩.୪୭ପ୍ରତିଶତ ଆଦାୟ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ ।