ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଧୁମଧାମରେ ପାଳିତ ହୋଇଛି ଚଳିତବର୍ଷର ଭୋଗୀ ଓ ମକର ପର୍ବ । କାରଣ ସହରରେ ୬୫ ପ୍ରତିଶତ ପରିବାର ତେଲୁଗୁ ସମ୍ପ୍ରଦାୟର । ଆଉ ତେଲୁଗୁ ସମ୍ପ୍ରଦାୟର ଏହା ମୁଖ୍ୟ ପର୍ବ । ଏଣୁ ଏହାକୁ ପାଳନ ପାଇଁ ବର୍ଷ ତମାମ ସମସ୍ତେ ଚାତକ ଭଳି ଅନାଇ ରହିଥାନ୍ତି । ଏହି ଅବସରରେ ଆବାଳ-ବୃଦ୍ଧ-ବନିତା ସମସ୍ତେ ମିଶି ନାଚିଗାଇ ଉଲ୍ଲାସର ସହ ମଉଜ କରନ୍ତି ।
ସେପଟେ ଏହି ପବିତ୍ର ଅବସରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ପୀଠ ଚଳଚଞ୍ଚଳ ହୋଇପଡିଛି । ମାଙ୍କ ଆର୍ଶୀବାଦ ଲୋଡିବାକୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି ।
ଗତବର୍ଷ ଭଳି ଏଥର ବି ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଭୋଗୀ ନିଆଁକୁ ଲଗାଇଥିଲେ । ବିଶ୍ବାସ ରହିଛି ଭୋଗୀ ନିଆଁରେ ସବୁ ରାଗ ରୋଷ, ଭେଦଭାବକୁ ଦାହ କରି ଭାଇଚାରାର ଓ ସଦଭାବର ସମ୍ପର୍କ ଗଢିଉଠେ । ସେପଟେ ଏହା ଉପଲକ୍ଷେ ବିଭିନ୍ନ ସ୍ଥାନରେ କିଛି ସଂଙ୍ଗଠନ ପକ୍ଷରୁ ସାମୁହିକ ଭାବେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏହି ପର୍ବର ପରମ୍ପରା ବେଶ ନିଆରା । ନୂଆ ଚାଉଳରେ ଖୀରି ତିଆରି କରି ପୂଜାର୍ଚ୍ଚନା ସହ 4 ଦିନ ଧରି ସମସ୍ତ ବିଧି, ନିୟମ ଅନୁଯାୟୀ ଆନନ୍ଦ ଉଲ୍ଲାସରେ ଏହି ଉତ୍ସବକୁ ମନାଯାଇଥାଏ । ଖାସ ଏଥିପାଇଁ ନବବିବାହିତ ଝିଅମାନେ ସେମାନଙ୍କ ବାପା ଘରକୁ ଆସିବା ସହ ଦୂରରେ ରହିଥିବା ପରିବାର ପରିଜନ ଘରକୁ ଆସନ୍ତି । ସମସ୍ତେ ପିଠା, ପଣା ସାଙ୍ଗକୁ ମକର ଚାଉଳ ଖାଇଥାନ୍ତି । ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଦିବସରେ ଭୋଗୀ ,ଦ୍ବିତୀୟ ଦିବସରେ ପୋଙ୍ଗଲ ପର୍ବ ଏବଂ କାନୁମୁ ଓ ମକାନୁମୁଙ୍କୁ ପାଳନ ହୁଏ ।
ଭୋଗୀ ସମୟରେ କାଠ ନିଆଁ ସହ ପୂଜା କରୁଥିବା କୁଆଁରୀ ଝିଅ ପୂର୍ବରୁ ରଖିଥିବା ଶୁଖିଲା ଗୋବର ପିଣ୍ଡୁଳା ମାଳ କରିପକାଇଥାନ୍ତି । ଏପରିକି ମକର ସଂକ୍ରାନ୍ତିରେ ପିଠାପଣା କରାଯାଉଥିବା ବେଳେ ମକର ଚାଉଳ ଖିଆଯାଇଥାଏ । ସେପେଟେ ବଡ଼ବଜାର, ସାନବଜାର, ପ୍ରେମନଗର, ଖଲାସି ସାହି, ବଗୁଲା ସାହି ଏବଂ ବାଚୁଆରୀ ସାହି ପ୍ରମୁଖ ଅଞ୍ଚଳରେ ଭୋଗୀ ଦେଖିବାକୁ ମିଳିଥିବା ବେଳେ ନୂତନ ବସ୍ତ୍ର ପରିଧାନ କରି ପରିବାରର ସମସ୍ତେ ସପିଙ୍ଗରେ ଲାଗିପଡିଥାନ୍ତି ।
କୁହାଯାଏ ଏହି ଭଳି ପର୍ବ ବିବିଧତା ଭିତରେ ଏକତାର ପର୍ବ । ବର୍ଷକର ଏହି 4 ଦିନ ଘରର ସମସ୍ତ ସଦସ୍ୟଙ୍କୁ ଏକାଠି କରିଥାଏ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ