ବ୍ରହ୍ମପୁର: ଆଜି ବିଶ୍ବ ଏଡସ ଦିବସ । ଏଚଆଇଭି ଭୂତାଣୁରେ ସଂକ୍ରମିତ ଲୋକଙ୍କୁ ସହାୟତା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ | ଏଥିପାଇଁ କେତେ ଶୋଭାଯାତ୍ରା, ସଚେତନତା ଶିବିର, ରାଲି ହୁଏ ସତ । କିନ୍ତୁ ବାସ୍ତବରେ ଏହି ରୋଗୀଙ୍କ ଯନ୍ତ୍ରଣା ଅନୁଭବ କରି ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛି ଗଞ୍ଜାମର ଗୋପାଳପୁରରେ ଥିବା ଶ୍ରଦ୍ଧା ସଞ୍ଜିବନୀ ।
ଏଚ୍ଆଇଭି ଆକ୍ରାନ୍ତ ଅନାଥ ଶିଶୁଙ୍କ ଆଶାର ଆଲୋକ ପାଲଟିଛି ଏହି କେନ୍ଦ୍ର । ବିଗତ କିଛି ବର୍ଷ ଧରି ରାଜ୍ୟର ବଡ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଆଉର ଏହାର କାରଣ ହେଉଛି ଦାଦନ ଓ ଅସ୍ବାସ୍ଥକର ପରିବେଶ । ଏଥିପାଇଁ ବହୁ ସୁଖୀ ସଂସାର ଉଜୁଡିଯାଇଛି । ବାପା ମାଙ୍କୁ ହରାଇ ଛୁଆଁ ଅନାଥ ପାଲଟିଯାଉଛି । ସମାଜର ତିରସ୍କାର ଓ ଗଞ୍ଜଣା ଭିତରେ ସେ ଯେପରି ଅଣନିଶ୍ବାସୀ ହୋଇଯାଉଛି । ଶେଷରେ ଅନ୍ୟ ରାସ୍ତା ନ ପାଇଁ ସେମାନେ ଆତ୍ମହତ୍ୟା କରୁଛନ୍ତି । ଏଭଳି ସମୟରେ ଏଚ୍.ଆଇ.ଭି ପଜେଟିଭ ଶିଶୁଙ୍କୁ କୋଳେଇ ନେଇଛି ଏହି ସେବାଶ୍ରମ ।
୨୦୦୭ ମସିହା ଡିସେମ୍ବର ୨୧ରେ ଜିଲ୍ଲାର ଗୋପାଳପୁର ଠାରେ ଆନାଥ ଶିଶୁଙ୍କ ଭବିଷ୍ୟତ ଗଢିବାକୁ ପଣ କରି ପ୍ରଶାସନ ଉଦ୍ୟମରେ ଆରମ୍ଭ ହୋଇଥିଲା ଏହି ଶ୍ରଦ୍ଧା ସଞ୍ଜିବନୀ । ଗତ କିଛି ବର୍ଷ ଧରି ଏଠାରେ ଉଦ୍ୟମ ଜାରି ରହିଥିବା ବେଳେ ରାଜ୍ୟର 8ଟି ଜିଲ୍ଲାରୁ ନିଜ ପରିବାର ବର୍ଗଙ୍କୁ ହରାଇଥିବା ପ୍ରାୟ ୮୫ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଏଠାରେ ସୁସ୍ଥ ଜୀବନ ବିତାଇଥାନ୍ତି ।
ଜଣେ ସାଧାରଣ ଶିଶୁ ଯେପରି ଜୀବନ ବିତାଏ, ଏଠାରେ ମଧ୍ୟ ପ୍ରତ୍ୟେକ ବିଦ୍ୟାର୍ଥୀ ସେହିପରି ଦୈନିକ ଜୀବନଚର୍ଯ୍ୟା ପାଳନ କରନ୍ତି । ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ସକାଳୁ ଉଠି ନିତ୍ୟକର୍ମ ଶେଷ ପରେ ପ୍ରାର୍ଥନା ଠାରୁ ଆରମ୍ଭ କରି ଯୋଗ, ଜଳପାନ, ଶିକ୍ଷାଦାନ, ସୁଷମ ଭୋଜନ, ଅବସର ବିନୋଦନ, ମନୋରଞ୍ଜନ ଏବଂ କ୍ରୀଡା ହୋଇଥାଏ । ଏପରିକି ଚିକିତ୍ସା ଭଳି ଗୁରୁତ୍ବପୂର୍ଣ୍ଣ ଦିଗକୁ ମଧ୍ୟ ଭୁଲିନଥାଏ ଏହି କେନ୍ଦ୍ର । କେବଳ ଏତିକି ନୁହେଁ ପ୍ରତ୍ୟେକ ବିଦ୍ୟାର୍ଥୀ ଯେପରି ଶିକ୍ଷା ଶେଷ ପରେ ଆତ୍ମନିର୍ଭରଶୀଳ ହେବେ ସେ ନେଇ ଏଠାରେ ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି ।
କିଏ ଦଶମ ଶ୍ରେଣୀ ପାସ କରି ଆଇଟିଆଇ ପରି ବୈଷୟିକ ଶିକ୍ଷାଗ୍ରହଣ କରିପାରିଛି ତ ଆଉ କିଏ ଯୁକ୍ତ ଦୁଇ ପରେ ବିଭିନ୍ନ ତାଲିମ ନେଇ ବଡ ବଡ ପଦବୀରେ ନିଯୁକ୍ତି ପାଇଛନ୍ତି । ସେହିପରି ବାଳିକା ଅନ୍ତେବାସୀଙ୍କୁ ସାନିଟାରି ନାପକକିନଠୁ ଆରମ୍ଭ କରି ସିଲେଇ ଶିକ୍ଷା, କମ୍ପ୍ୟୁଟର ଓ ରବର ଷ୍ଟାମ୍ପ ପ୍ରସ୍ତୁତ ଭଳି ବିଭିନ୍ନ କୌଶଳର ଶିକ୍ଷା ପ୍ରଦାନ କରାଯାଉଛି । ଯେପରି ବଡ ହେଲେ ନିଜେ ସ୍ବାବଲମ୍ବୀ ହେବା ସ୍ବପ୍ନ ପୂରଣ କରିପାରିବେ । ।
ଆଜିର ବ୍ୟସ୍ତବହୁଳ ସମୟରେ ଅନ୍ୟ ଦୁଃଖ ବୁଝୁଥିବା ଏଭଳି ସେବାଶ୍ରମ ସତରେ ବହୁତ ବିରଳ । ବିନା ସଙ୍କୋଚ , ବାଛବିଚାରରେ ଏହି ଅନାଥଙ୍କୁ ଖୁଆଇ, ପିଆଇ ବଡ କରୁଥିବା ଶ୍ରଦ୍ଧା ସଞ୍ଜିବନୀର ସମସ୍ତ କର୍ମୀ ସମାଜ ପାଇଁ ପ୍ରେରଣା । ଯଦି ଏମାନଙ୍କ ସହ ଆମେ ସମସ୍ତେ ମିଶିବା ତେବେ ଏଡସ ମୁକ୍ତ ସମାଜ ଗଠନ କଷ୍ଟକର ହେବନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ