ବ୍ରହ୍ମପୁର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର 54.49 ପ୍ରତିଶତ ରହିଥିବା ପରିଷଦର ବ୍ରହ୍ମପୁର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ସ୍ରୋତରେ ମୋଟ 97377 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ 68374 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ରାଜ୍ୟର ଉତ୍ତୀର୍ଣ୍ଣ ହାର ରହିଛି 70.21 ପ୍ରତିଶତ । 38.30 ପ୍ରତିଶତ ଛାତ୍ର ଓ 30.07 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 137 ବିଦ୍ୟାର୍ଥୀ 90 ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି ।
ପ୍ରଥମ ଶ୍ରେଣୀରେ 25339, ଦ୍ଵିତୀୟ ଶ୍ରେଣୀରେ 24121 ଓ ତୃତୀୟ ଶ୍ରେଣୀରେ 18260 ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ସର୍ବୋତ୍ତମ (86.51 ପ୍ରତିଶତ) ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ (40.71 ପ୍ରତିଶତ) ଫଳାଫଳ ହୋଇଛି । 20ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଥିବା ବେଳେ ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୂନ ପ୍ରତିଶତ ଫଳାଫଳ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସୂଚନା ଦେଇଛନ୍ତି । ଏହି କ୍ରମରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାର ସାମଗ୍ରିକ ଫଳାଫଳ ହାର ରହିଛି 54.49 ପ୍ରତିଶତ ।
ଉପରୋକ୍ତ ଆଠଟି ଜିଲ୍ଲାରେ ସର୍ବମୋଟ 19652 ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ 19608 ଜଣ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଦକ୍ଷିଣାଞ୍ଚଳରେ ମୋଟ 12337 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 3918 ଜଣ ପ୍ରଥମ ଶ୍ରେଣୀରେ, 4246 ଜଣ ଦ୍ଵିତୀୟ ଶ୍ରେଣୀରେ, 4047 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 126 ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 97 ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ମାଲ୍ ପ୍ରାକ୍ଟିସ୍ ଅଭିଯୋଗ ହୋଇଥିବାରୁ ସେମାନଙ୍କ ଫଳାଫଳ ପ୍ରକାଶ ପାଇ ନଥିବା ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ 10321 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 7394 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 2759 ଜଣ ପ୍ରଥମ ଶ୍ରେଣୀ, 2652 ଜଣ ଦ୍ଵିତୀୟ ଶ୍ରେଣୀ, 1912 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 71 ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି । ଜିଲ୍ଲାରେ ଫଳାଫଳ ହାର ରହିଛି 71.64 ପ୍ରତିଶତ ଏବଂ 35 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି ।
ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ 1031 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 438 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 43 ଜଣ ପ୍ରଥମ ଶ୍ରେଣୀ, 115 ଜଣ ଦ୍ଵିତୀୟ ଶ୍ରେଣୀ, 272 ଜଣ ତୃତୀୟ ଶ୍ରେଣୀ, 8 ଜଣ କମ୍ପାର୍ଟମେଣ୍ଟାଲରେ କୃତକାର୍ଯ୍ୟ ହୋଇଥିବା ବେଳେ 5 ଜଣ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 42.48 ପ୍ରତିଶତ ।
କୋରାପୁଟ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ 2964 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 1653 ଜଣ କୃତକାର୍ଯ୍ୟ ହୋଇଛନ୍ତି । 509 ଜଣ ପ୍ରଥମ ଶ୍ରେଣୀ, 499 ଜଣ ଦ୍ଵିତୀୟ ଶ୍ରେଣୀ, 637 ଜଣ ତୃତୀୟ ଶ୍ରେଣୀ, 8 ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ 45 ଜଣ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ପାଶ ହାର ରହିଛି 55.76 ପ୍ରତିଶତ ।
ମାଲକାନଗିରି ଜିଲ୍ଲାରେ ବିଜ୍ଞାନରେ ପରୀକ୍ଷା ଦେଇଥିବା ମୋଟ 1049 ଜଣଙ୍କ ମଧ୍ୟରୁ 622 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 136 ଜଣ ପ୍ରଥମ ଶ୍ରେଣୀ, 209 ଜଣ ଦ୍ଵିତୀୟ ଶ୍ରେଣୀ, 271 ଜଣ ତୃତୀୟ ଶ୍ରେଣୀ, 6 ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ ହୋଇଥିବା ବେଳେ 3 ଜଣ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 59.29 ପ୍ରତିଶତ ।
ନବରଙ୍ଗପୁର ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ଦେଇଥିବା 1475 ଜଣଙ୍କ ମଧ୍ୟରୁ 707 ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି । 125 ଜଣ ପ୍ରଥମ, 221 ଜଣ ଦ୍ଵିତୀୟ, 343 ଜଣ ତୃତୀୟ ଓ 18 ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ ହୋଇଥିବା ବେଳେ 4 ଜଣ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ଶତକଡା ପାସହାର 47.93 ପ୍ରତିଶତ ରହିଛି ।
ରାୟଗଡ଼ା ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ଦେଇଥିବା 1953 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 1163 ଜଣ କୃତକାର୍ଯ୍ୟ ହୋଇଛନ୍ତି । 280 ଜଣ ପ୍ରଥମ, 421 ଜଣ ଦ୍ଵିତୀୟ, 447 ଜଣ ତୃତୀୟ ଓ 15 ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ପାଶ୍ ହାର ରହିଛି 59.54 ପ୍ରତିଶତ ।
ବୌଦ୍ଧ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା 157 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 92 ଜଣ କୃତକାର୍ଯ୍ୟ ହୋଇଛନ୍ତି । 13 ଜଣ ପ୍ରଥମ ଶ୍ରେଣୀରେ, 40 ଜଣ ଦ୍ଵିତୀୟ ଶ୍ରେଣୀରେ, 39 ଜଣ ତୃତୀୟ ଶ୍ରେଣୀରେ ପାଶ୍ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ରହିଛି 58.59 ପ୍ରତିଶତ ।
ସେହିପରି କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ମୋଟ 658 ଜଣଙ୍କ ମଧ୍ୟରୁ 268 ଜଣ କୃତକାର୍ଯ୍ୟ ହୋଇଛନ୍ତି । 53 ଜଣ ପ୍ରଥମ, 89 ଜଣ ଦ୍ଵିତୀୟ, 126 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 3 ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସରେ ବୁକ ହୋଇଛନ୍ତି । କନ୍ଧମାଳ ଜିଲ୍ଲାର ପାଶ୍ ହାର ରହିଛି 40.72 ପ୍ରତିଶତ ।
ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାର ଠାରୁ ମଧ୍ୟ ଅଧିକ ରହିଛି । ରାଜ୍ୟରେ +୨ ବିଜ୍ଞାନ ପରୀକ୍ଷା ଫଳାଫଳ ହାର 70.21 % ଥିବା ବେଳେ ଗଞ୍ଜାମରେ ରହିଛି 71.64 % । ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥିବା ଉପସଚିବ ଡ. ଓଝା ପ୍ରକାଶ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ