ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ MKCG ମେଡିକାଲର ସମସ୍ୟାକୁ ନେଇ କରାଯିବ ଆଲୋଚନା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ଆଲୋଚନା ପରେ ସ୍ଥଗିତ ହେଲା ବ୍ରହ୍ମପୁର ସହରର କାର୍ଯ୍ୟରତ ଗଣଧାରଣା ପ୍ରତିନିଧୀଙ୍କ ଗଣଧାରଣା । ଗତ ଚାରିଦିନ ଧରି ଶାନ୍ତିପୂର୍ଣ୍ଣ ଭାବରେ MKCGର ପ୍ରମୁଖ ବିଷୟକୁ ନେଇ ଗଣଧାରଣା ଦେଇ ଆସୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧୀମାନେ ଗୁରୁବାର ବାଚସ୍ପତିଙ୍କ ସହ ଆଲୋଚନା କରିବା ପରେ ଏହାକୁ ସ୍ଥଗିତ ରଖାଯାଇଛି ।
ମୁଖ୍ୟତଃ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଉପରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର ଜନସାଧାରଣ ନିର୍ଭର କରୁଥିଲେ ମଧ୍ୟ ଏଠାରେ ଡାକ୍ତର ଅଭାବ ସାଙ୍ଗକୁ ଟ୍ରମା କେୟାର ସେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ, ବର୍ଣ୍ଣକେୟାର ୟୁନିଟ୍ ଖୋଲାଯିବ ସହିତ ଏମକେସିଜିର କାଜୁଆଲଟିରେ ବରିଷ୍ଠ ଚିକିତ୍ସକ ନିଯୁକ୍ତି ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ଭଳି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଆଲୋଚନା କରିଥିଲେ । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆସନ୍ତା କିଛି ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ୱାସ୍ଥମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ବ୍ରହ୍ମପୁରର ସାଂସଦ, ବିଧାୟକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଉଚ୍ଚସ୍ତରୀୟ ବୈଠକ କରାଯିବ ।
ଉକ୍ତ ବୈଠକରେ ଏମକେସିଜି ମେଡିକାଲର ବିଭିନ୍ନ ପ୍ରମୁଖ ବିଷୟକୁ ନେଇ ଆଲୋଚନା କରାଯିବ ବୋଲି କୁହାଯାଇଛି । ଇତି ମଧ୍ୟରେ ଏମକେସିଜିର ମୁଖ୍ୟ ଫାଟକ ସମୁଖରେ ଚାଲିଥିବା ଗଣଧାରଣା ସ୍ଥଳକୁ ଏମକେସିଜିର ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର ଏବଂ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଆଲୋଚନା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଡିଆଓଙ୍କ ସହ ମଧ୍ୟ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲା । ଏଭଳି ଆଲୋଚନା ପରେ ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ସ୍ଥଗିତ ରଖାଯାଇଥିବା ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏକ ବୈଠକ କରି ସ୍ଥିର କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ