ବ୍ରହ୍ମପୁର: ବାହୁଡିବେ ମା' ବୁଢୀ ଠାକୁରାଣୀ । ଦୀର୍ଘ ଏକ ମାସ ଧରି ବାପଘରେ ଲୀଳାଖେଳା କରିବା ପରେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନର ସମୟ । ଏହି ଦୃଶ୍ୟ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର । ବାପ ଘରେ 32 ଦିନ ଧରି ରହିବା ପରେ ଶାଶୁ ଘରକୁ ଫେରିଛନ୍ତି ମା' ବୁଢୀ ଠାକୁରାଣୀ ।
ପ୍ରତ୍ୟେକ ଝିଅକୁ ବାପଘର ପକ୍ଷରୁ ବିଦାୟ ଦିଆଯିବା ଭଳି ମାଆଙ୍କୁ ମଧ୍ୟ ପୂରା ରୀତିନୀତିରେ ବାପଘରୁ ବିଦାୟ ଦିଆଯାଇଛି । ଶେଷ ଦିନରେ ମାଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଣରେ ପ୍ରବଳ ଜନସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ ମାଆଙ୍କ ମୁଖ୍ୟ ପୀଠରୁ ନିମନ୍ତ୍ରଣ ଆସିବା ପରେ ମଧ୍ୟରାତ୍ରରେ ମାଆଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଏ । ଏହି ଅବସରରେ ସହରର ହଜାର ହଜାର ମହିଳା ମୁଣ୍ଡରେ ଘଟ ଧରି ମାଆଙ୍କୁ ବିଦାୟ ଦେବା ପାଇଁ ମୁଖ୍ୟ ପୀଠରେ ପହଞ୍ଚିଥିଲେ । ମାଆଙ୍କୁ ବିରାଟ ପଟୁଆରରେ ସହର ପରିକ୍ରମା କରି ନିଜ ମାଉସୀ ମାଆଙ୍କ ଘରେ ପୋଡପିଠା ଖାଇବାର ବିଧି ରହିଛି । ଏହାପରେ ମାଆ ବାହାରିଥିଲେ ମୁଖ୍ୟପୀଠ ଅଭିମୁଖେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।