ବ୍ରହ୍ମପୁର: ଗାଧୋଉଥିବା ସମୟରେ ହଠାତ୍ ସମୁଦ୍ରରେ ବୁଡି ଯାଇଥିଲେ ଯୁବକ । ହେଲେ ଦେବଦୂତ ସାଜି ପହଞ୍ଚିଲେ ହୋମଗାର୍ଡ । ତୁରନ୍ତ ପାଣିକୁ ଲମ୍ଫ ମାରି ଅତଳ ଜଳରାଶିରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ରବିବାର ଗଞ୍ଜାମ ଗୋପାଳପୁର ସମୁଦ୍ରରେ ଘଟିଥିଲା ଏହି ଅଘଟଣ । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ।
ସୂଚନାଯୋଗ୍ୟ, ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ଗୋପାଳପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବି. ଚିଟିବାବୁ । ଏହି ସମୟରେ ସମୁଦ୍ରରେ ଜଣେ ଯୁବକ ବୁଡି ଯାଉଥିବାର ସେ ଦେଖିବାକୁ ପାଉଥିଲେ । ଏହାପରେ କାଳ ବିଳମ୍ବ ନ କରି ଲାଇଭଗାର୍ଡ ଟ୍ୟୁବ ସହ ସେ ପାଣି ଭିତରକୁ ପଶି ଯୁବକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟର ଏହି ପୁରା ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିବିଶେଷ ନିଜ ଫୋନରେ ରେକର୍ଡିଂ କରିଥିଲେ । ତେବେ ଉଦ୍ଧାର ଯୁବକ ଜଣକ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ପିଚୁଳି ଅଞ୍ଚଳର ସାଗର ମଣ୍ଡଳ ବୋଲି ଜଣାପଡିଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ