ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଶନିବାର ଠୁ ସହରାଞ୍ଚଳ ଗୁଡିକରେ ଆରମ୍ଭ ହେବ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏ ନେଇ ଆଲୋଚନା କରିଛନ୍ତି । ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସମୟରେ ଏଭଳି ବିଷୟକୁ ଆଲୋଚନା କରିଥିଲେ ।
ବର୍ତ୍ତମାନ ଗୋଟିଏ ବ୍ଲକରେ କେବଳ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ରହିବ । ଏଣୁ ଏ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ଚଢାଉ ଅଧିକ ଜୋରଦାର କରିବା ନେଇ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥି ସକାଶେ ତହସିଲଦାରମାନେ ହିଁ ଉତ୍ତର ଦାୟୀ ରହିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ଧାର୍ମିକ ଅନୁଷ୍ଠାନ ଗୁଡିକରେ ଜନଗହଳି ହେଉଥିବା ନଜର ଆସୁଛି । ଦୋକାନ ଗୁଡିକରେ ବାଉଁଶ ବଦଳରେ ଦଉଡି ବାନ୍ଧୁଥିବା ଦେଖାଯାଉଛି । ଏହା ଗ୍ରହଣୀୟ ନୁହେଁ । ଦଉଡି ବଦଳରେ ବାଉଁଶ ବାନ୍ଧି ସାମାଜିକ ଦୂରତ୍ବ ବଜାୟ ରଖିବାକୁ କୁହାଯାଇଛି । ପଞ୍ଚସୂତ୍ରକୁ ବ୍ୟାପକ କରିବାକୁ ଜଣାଇ ଦିଆଯାଇଛି ।
ସଂକ୍ରମିତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଆଡମିଶନ କରିବାକୁ ନିର୍ଦ୍ଦେଶ ରହିଛି । ଚିକିତ୍ସା ଅଧିକାରୀଙ୍କ ନିଷ୍ପତ୍ତି ପ୍ରକାରେ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ଜିଲ୍ଲାପାଳ କହିଛନ୍ତି ।
ସୁସ୍ଥ ହୋଇଥିବା ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପ୍ଲାଜମା ଦାନ ସକାଶେ ପ୍ରେରଣା ଦେବାକୁ କୁହାଯାଇଛି । ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା କରନ୍ତୁ । ସମସ୍ତ ବ୍ଲକରେ ରହିଥିବା ଆମ୍ବୁଲାନ୍ସର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ପଚାରି ବୁଝିଥିଲେ । ଏଯାବତ୍ ଆମ୍ବୁଲାନ୍ସ ପରିଚାଳନା ସେଲ୍କୁ ସମୁଦାୟ ୨୦୪ ଗୋଟି କଲ୍ ଆସିବା ବୈଠକରେ ଜଣାଯାଇଥିଲା । ଆମ୍ବୁଲାନ୍ସ ଆବଶ୍ୟକ କରୁଥିବା ବ୍ୟକ୍ତି ୦୬୮୧୧-୨୬୩୭୭୪ ନମ୍ବରକୁ ଟେଲିଫୋନ୍ କରି ୨୪ ଘଣ୍ଟିଆ ସେବା ପାଇପାରିବେ । ପ୍ରତ୍ୟେକ ଦିନ ସରପଞ୍ଚ ମାନଙ୍କ ସହିତ ଆଲେଚନା କରି ନିଜ ଅଞ୍ଚଳରେ କୋଭିଡ୍ ପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ