ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ ବନାଞ୍ଚଳରେ ଚାଲିଥିବା ବେଆଇନ କରତ କଳ ଉପରେ ଚଢାଉ କରିଛି ବନ ବିଭାଗ । ଏହି ଚଢାଉ ସମୟରେ ବିପୁଳ ପରିମାଣର କାଠ ଜବତ କରାଯାଇଛି । ବନାଞ୍ଚଳ ଅଧିନସ୍ଥ କେନ୍ଦୁପାଟ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବେଆଇନ କରତ କଳ ଉପରେ ବନ ବିଭାଗର ନଜର ରହିଥିବା ବେଳେ ଶୁକ୍ରବାର ପୂର୍ବ ଯୋଜନା ମୁତାବକ ଏହାକୁ ଚଢ଼ାଉ କରାଯାଇଥିଲା । ଏଥିରେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ, ପିଆଶାଳ କାଠ ସମେତ ବେଆଇନ କରତ କଳର ବିଭିନ୍ନ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି କେନ୍ଦୁପାଟ ଗ୍ରାମରେ ବେଆଇନ ଭାବେ ଏହି କରତ କଳ ଚାଲିଥିଲା । ହେଲେ ବନ ବିଭାଗ ଏଠାରେ ଚଢାଉ କରିବା ପୂର୍ବରୁ କାଠ ବ୍ୟବସାୟୀମାନେ ସୂଚନା ପାଇ କରତ କଳର ଯନ୍ତ୍ରପାତିକୁ ଅନ୍ୟତ୍ର ନେଇଯିବାରେ ସଫଳ ହୋଇଥିଲେ । ହେଲେ ଚଳିତ ଥର ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଏସିଏଫ ଅଶୋକ ବେହେରା, ଏସିଏଫ ଏ.ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବ୍ରହ୍ମପୁର ମୋବାଇଲ ଷ୍ଟାଫ, ଛତ୍ରପୁର ପୋଲିସ ଫୋର୍ସ, ସାମନ୍ତିଆପଲ୍ଲୀ ରେଞ୍ଜରର କର୍ମଚାରୀଙ୍କ ସମେତ ଦିଗପହଣ୍ତି ରେଞ୍ଜର ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀମାନେ ମିଳିତ ଭାବେ କେନ୍ଦୁପାଟ ଗ୍ରାମରେ ଏହି ଚଢ଼ାଉ କରିଥିଲେ ।
ଏହି ଚଢାଉରେ କାହାକୁ ଗିରଫ କରାଯାଇନଥିବା ବେଳେ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ