ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ରହିଛି ପୁରପଲ୍ଲୀ । ସୁଉଚ୍ଚ ତୋରଣ ସହ ଝିଲମିଲ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ଘରେ ଘରେ ବ୍ରତ ରଖି ମା' ମହାମାୟୀଙ୍କ ଆରଧନା କରାଯାଉଛି । ତେବେ ଭାରତ ବର୍ଷରେ ଭାଷାଭାଷୀ ଭିତ୍ତିରେ ନବରାତ୍ର ପୂଜା ବିଧିରେ ସ୍ବତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ସେହିପରି ତେଲୁଗୁ ଭାଷାଭାଷୀ ସମ୍ପ୍ରଦାୟର ସ୍ବତନ୍ତ୍ରତା ହେଲା ବୋମନା କୁଲୁବୁ ପୂଜା । ନବରାତ୍ରୀ ସମୟରେ ବ୍ରହ୍ମପୁର ସହରର ପ୍ରତି ତେଲୁଗୁ ପରିବାରରେ ବୋମନା କୁଲୁବୁ ପୂଜା ପାଳନ କରାଯାଇଥାଏ ।
ମୁଖ୍ୟତଃ ଘରେ ରହିଥିବା ବହୁ ପୁରାତନ ଭଗବାନଙ୍କ ମାଟି କଣ୍ଢେଇ ଠାରୁ ଆରମ୍ଭ କରି ପ୍ଲାଷ୍ଟିକର ଭଳି ଭଳିକି ଭଳି ଦେବଦେବୀଙ୍କ କଣ୍ଢେଇକୁ ରଖି ଗୋଟିଏ ସ୍ଥାନରେ ପୂଜା କରିଥାନ୍ତି ଲୋକେ । ମା' ଦୁର୍ଗାଙ୍କ ସମେତ ସରସ୍ବତୀ, ଲକ୍ଷ୍ମୀଙ୍କ ଠାରୁ ଆରମ୍ଭ କରି ଭଗବାନ ଶ୍ରୀକୃଷ୍ଣ, ଶିବ ଇତ୍ୟାଦି ହିନ୍ଦୁ ଦେବାଦେବୀଙ୍କୁ ଏହି ସମୟରେ ପୂଜା କରାଯାଇଥାଏ । ଏହି ପୂଜାରେ ସାମିଲ ହେବା ପାଇଁ ତେଲୁଗୁ ପରିବାରରେ ବନ୍ଧୁ ପରିଜନଙ୍କ ସମାଗମ ହୋଇଥାଏ ।
ତେଲୁଗୁ ପରିବାର ନିଜ ଘରେ ବର୍ଷ ବର୍ଷ ଧରି ଥିବା ଦେବଦେବୀଙ୍କ ମାଟି, ପ୍ଲାଷ୍ଟିକ, ତୁଳା କପଡାରେ ପ୍ରସ୍ତୁତ ହୋଇଥିବା କଣ୍ଢେଇକୁ ଗୋଟିଏ ସ୍ଥାନ ସଜାଇ ରଖିଥାନ୍ତି । ଏହାପରେ ମିଳିମିଶି ପୂଜା କରନ୍ତି । ତେବେ ତେଲୁଗୁ ପରିବାରରେ ଏହି ବୋମନା କୁଲୁବୁ ପୂଜା କାହିଁ କେଉଁ କାଳରୁ ପୁରୁଷାନୁକ୍ରମିକ ଭାବରେ ହୋଇ ଆସୁଥିବା କୁହାଯାଏ ।
ଏହାମଧ୍ୟ ପଢନ୍ତୁ: ପୂରାତନ ଶକ୍ତି ପୀଠ ମା' ବଙ୍କବାସୁଳୀ, ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ସ୍ବତନ୍ତ୍ରତା
ବୋମନା କୁଲୁବ ପର୍ବରେ କେବଳ ଦେବଦେବୀଙ୍କ କଣ୍ଢେଇ ରଖି ପୂଜା କରାଯାଇ ନଥାଏ ବରଂ, ଏହି ସମୟରେ ନାନାଦି ପୌରାଣିକ କଥାବସ୍ତୁ ପ୍ରଦର୍ଶିତ କରାଯାଇଥାଏ । ସମୁଦ୍ର ମନ୍ଥନ ସମୟର ଉଭୟ ରାକ୍ଷସ ଓ ଦେବତାଙ୍କ ମଧ୍ୟରେ ଯୁଦ୍ଧର ଅମୃତ ଉଦ୍ଧାରବେଳର ଚିତ୍ରଠାରୁ ଆରମ୍ଭ କରି ଭଗବାନ ଶ୍ରୀକୃଷ୍ଣଙ୍କର ବନ୍ଦୀଶାଳାରେ ଜନ୍ମ, ବାଲ୍ୟଲାଳା ଓ ଗିରି ଗୋବର୍ଦ୍ଧନ ଉଠାଇବାର ଚିତ୍ର, ମା'ଙ୍କ ଦଶମହାବିଦ୍ୟାର ରୂପ, ନବଶକ୍ତିଙ୍କ ରୂପ, ଦେଶର ବିଭିନ୍ନ ଆୟାରଲାଣ୍ଡର ଚିତ୍ର, ଶରୀର ସୁସ୍ଥ ରହିବା ପାଇଁ କିଭଳି କରିବେ ଯୋଗଭ୍ୟାସ କରାଯିବ ଏହାକୁ କଣ୍ଢେଇ ମାଧ୍ୟମରେ ଦର୍ଶାଯାଇଥାଏ ।
ଯାହାକି କି ଏହି ବୋମନା କୁଲୁବୁ ପୂଜାର ସ୍ବତନ୍ତ୍ରତା ଅଟେ । ଆଉ ଏହି ପୂଜାର ଶେଷ ଦିନ ଅର୍ଥାତ୍ ଦଶହରା ଦିନ ମା' ସରସ୍ବତୀଙ୍କୁ ପୂଜା କରାଯାଇଥାଏ । ଏହାକୁ ଦେଖିବା ପାଇଁ ବିଭିନ୍ନ ପରିବାରରେ ଏହି ସମୟରେ ନିଜର ବନ୍ଧୁ ପରିଜନ ଆସୁଥିବା ଦେଖାଯାଇଥାଏ ।
ଇଟିଭି ଭାରତ, ବ୍ରହ୍ମପୁର