ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗୋଟେ ପଟେ ନିୟମିତ ଭାବରେ ଶହ ଶହ କୋରୋନା ପଜିଟିଭ ଚିହ୍ନଟ ହେଉଥିବାବେଳେ କ୍ରମାଗତ ଭାବରେ ଏଠାକାର କୋଭିଡ ହସପିଟାଲର ଅବ୍ୟବସ୍ଥା ଦାଣ୍ଡରେ ପଡି ହାଟରେ ଗଡୁଛି। ପୂର୍ବରୁ ରହିଥିବା ସମସ୍ତ ଘଟଣାକୁ ବଳି ପଡିଛି ଆଉ ଏକ ଅଭିଯୋଗ । ଯାହା ଶୁଣିଲେ ଯିଏ ବି ସ୍ତବ୍ଧ ହୋଇପଡିବ । ବ୍ରହ୍ମପୁର ସହରର ଜଣେ କୋରୋନା ପଜିଟିଭଙ୍କ ମୃତ୍ୟୁର ଚାରି ଦିନ ପରେ ମଧ୍ୟ ସୁସ୍ଥ ରହିଥିବା କୁହାଯିବା ସହ ଶେଷରେ ପରିବାର ବର୍ଗ ରୋଗୀଙ୍କ ସହ କଥାହେବାକୁ ଜିଦ୍ ଧରିବାରୁ ମୃତ୍ୟୁ ଘଟିସାରିଥିବା ସୂଚନା ଦିଆଯିବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।
ଏଭଳି ଘଟଣାକୁ ନେଇ ପରିବାର ବର୍ଗ ପୋଲିସ ଥାନାରେ ଏତଲା ଦେଇଛନ୍ତି । ବର୍ତ୍ତମାନର କୋରୋନା ରୂପକ ମହାମାରୀ ସମୟରେ ରାଜ୍ୟରେ ଅଧିକ ପ୍ରଭାବିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ବ ଜିଲ୍ଲା ଗଞ୍ଜାମ । ଏଭଳି ବିପତ୍ତି ସମୟରେ ଏହି ଜିଲ୍ଲାରେ କେତେବେଳେ ଚିକିତ୍ସା ସେବାକୁ ନେଇ ହେଉଥିବା ଭାଇରାଲ ଭିଡିଓ ଅନେକଙ୍କ ମନରେ ପ୍ରଶ୍ନ ଉଠାଉଥିବାବେଳେ ଆଉ କେତେବେଳେ କୋଭିଡ୍ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ସହ ଅବ୍ୟବସ୍ଥାକୁ ନେଇ ଇତି ମଧ୍ୟରେ ଅନେକ ଆପତ୍ତି ଆସୁଥିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି ।
ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗର ଦ୍ବିତୀୟ ସାହିରେ ରହୁଥିବା 49 ବର୍ଷୀୟ ବସନ୍ତ କୁମାର ସାହୁ କୋରୋନାରେ ସଂକ୍ରମିତ ହୋଇ ଗତ 19 ତାରିଖ ଦିନ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ଼ କେୟାରରେ ଚିକିତ୍ସିତ ହେଉଥିଲେ। ଆଉ ଏହା ପରେ ପରିବାର ବର୍ଗ ଗତ 24 ତାରିଖ ପର୍ଯ୍ୟନ୍ତ ଚିକିତ୍ସାଧୀନ ବସନ୍ତଙ୍କ ସହିତ ଫୋନରେ କଥାବାର୍ତ୍ତା କରିଥିଲେ ।
ହେଲେ ତାପର ଠାରୁ ବସନ୍ତଙ୍କ ଫୋନ ଆଉ ଲାଗିଲା ନାହିଁ। ଯାହା ଫଳରେ ପରିବାର ବର୍ଗ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ଚିକିତ୍ସାଧୀନ ବସନ୍ତଙ୍କ ସହ କଥାହେବା ପାଇଁ ଚାହିଁଥିଲେ । ସେହି ସମୟରେ ହେଲପ୍ ଲାଇନ୍ ରେ ସେ ସୁସ୍ଥ ରହିଥିବା ଏବଂ ଆସନ୍ତାକାଲି ଫୋନ୍ କରି କଥା କରାଇଦେବୁ ଏଭଳି ସମସ୍ତ ପ୍ରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ଶେଷରେ 28 ତାରିଖ ରାତ୍ର ସମୟରେ ବସନ୍ତଙ୍କ ଗତ ଚାରି ଦିନ ତଳେ ମୃତ୍ୟୁ ଘଟିସାରିଥିବା ସୂଚନା ମିଳିବା ପରେ ପରିବାର ବର୍ଗଙ୍କୁ ଏହା ସ୍ତବ୍ଧ କରିଦେଇଥିଲା ।
28 ତାରିଖ ପର୍ଯ୍ୟନ୍ତ ବସନ୍ତ ସୁସ୍ଥ ରହିଥିବା ବିଷୟକୁ ଅବଗତ କରାଉଥିବା ମେଡିକାଲ କର୍ତ୍ତୃପକ୍ଷ କିଭଳି ତାର କିଛି ଘଣ୍ଟା ମଧ୍ୟରେ ପୁଣି ଚାରି ଦିନ ପୂର୍ବରୁ ମୃତ୍ୟୁ ଘଟିଛି ଏବଂ ଏହି ସୂଚନା ଦେବା ପାଇଁ ପୂର୍ବରୁ ଚାହୁଁଥିଲେ ମଧ୍ୟ ଫୋନ ନମ୍ବର ଲାଗୁନଥିବା କହିବା ପରେ ପରିବାର ବର୍ଗ ଏକ ପ୍ରକାର ଭାଙ୍ଗିପଡିଥିଲେ । ପରିବାରରର କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ ।
ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା କାରଣରୁ ଏପରି ଘଟିଥିବା ନେଇ ପ୍ରଶ୍ନ ଉଠାଇ ପରିବାର ବର୍ଗ ସ୍ଥାନୀୟ ବଡବଜାର ଥାନାକୁ ଯାଇ ଏତଲା ଦେଇଛନ୍ତି । ବିଳମ୍ବିତ ରାତ୍ରରେ କୋଭିଡ୍ ହସପିଟାଲ କର୍ତ୍ତୃପକ୍ଷ ଧର୍ମକୁ ଆଖି ଠାର ଭଳି ଏକ ଲିଖିତ ସ୍ପଷ୍ଟୀକରଣ ଦେଇଥିବା ଦେଖାଯାଇଛି ।
ଏହି ଘଟଣାକୁ ଦେଖିଲେ ପ୍ରଶ୍ନ ଉଠିଛି ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା କୋଭିଡ ହସପିଟାଲରେ କଣ ସଠିକ୍ ରେକର୍ଡ ରହୁନାହିଁ କି ? ହେଲପ ଡେସ୍କ ନିକଟରେ ଯଦି ସଠିକ୍ ତଥ୍ୟ ରହିଥିଲା ତାହା ହେଲେ ଗତ 24 ତାରିଖ ଠାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ 27 ତାରିଖ ପର୍ଯ୍ୟନ୍ତ ମେଡ଼ିକାଲ କର୍ତ୍ତୃପକ୍ଷ ଫୋନ ଯୋଗେ କଥା କରେଇ ଦେବା ପାଇଁ କାହିଁକି ପ୍ରତିଶୃତି ଦେଉଥିଲେ । କାହା ସହ କଥା କରେଇବା ପାଇଁ ଗତ ଦିନ ଧରି କହୁଥିଲେ । ବର୍ତ୍ତମାନ ଏଭଳି ଦ୍ଵନ୍ଦରେ ପରିବାର ବର୍ଗ । ସେପଟେ ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ