ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଅଭାବନୀୟ ଘଟଣା । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେବା ଭଳି ଘଟଣାକୁ ନେଇ ଉତ୍ତୋଜନା ପ୍ରକାଶ ପାଇଥିଲା । ତାରିଣୀ ପ୍ରସାଦ ମହାପାତ୍ର ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପ୍ରସୂତୀ ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।

ଏହି ସମୟରେ ଲେବର ରୁମ ବାହାରେ ତାରିଣୀ ଏବଂ ତାଙ୍କ ସମ୍ପର୍କୀୟ ଗହଳି କରିଥିବାରୁ ଡ୍ୟୁଟିରେ ରହିଥିବା ଡାକ୍ତର ତାଙ୍କୁ ବାରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ରୋଗୀଙ୍କ କିଛି ସମ୍ପର୍କୀୟ ଲେବର ରୁମରେ ଜବରଦସ୍ତ ପଶିବାକୁ ଉଦ୍ୟମ କରିଥିଲେ ।

ଯାହାକୁ ସୁରକ୍ଷା କର୍ମୀ ଓ ଡାକ୍ତର ପ୍ରତିବାଦ କରିଥିଲେ । ହେଲେ, ହଠାତ ତାରିଣୀ ଏଥିରେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ମାରପିଟ କରିବା ସହ ଡାକ୍ତର ସାକିଲ ଖାନଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିଲେ ।
ଏଥିସହ ଅନ୍ୟ 5 ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିବା ନେଇ ବୈଦ୍ୟନାଥପୁର ଥାନାରେ ଡାକ୍ତରମାନେ ଅଭିଯୋଗ କରିଥିଲେ । ଏତଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ