ବ୍ରହ୍ମପୁର: ଦିଗପହଣ୍ଡି ପୋଲିସକୁ ସଫଳତା । ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଘଟଣାରେ 4 ବୋମା ସମେତ ବିଭିନ୍ନ ମାରଣାସ୍ତ୍ରକୁ ଜବତ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦ୍ବାରା ବିଭିନ୍ନ ସମୟରେ ଚୋରି , ଡକାୟତି , ଲୁଟ୍ ଭଳି କାମ ଲୋକଙ୍କୁ ଭୟଭୀତ କରିଥୁଲା । ତେବେ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା କମଳାପୁର ଛକ ନିକଟରେ ଏକ ବଡ଼ ଧରଣର ଡକାୟତି ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ତେବେ ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ 4ଟି ବୋମା ସମେତ ବହୁ ମାରଣାସ୍ତ୍ର ଜବତ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ହେଲେ କାଳିଆ ସାହୁ , ସନ୍ତୋଷ ସାହୁ, ବିକାଶ ମହାପାତ୍ର , ବାଦଲ ନାଇ ଓ ପିଣ୍ଟୁ ବେହେରା । ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅଞ୍ଚଳର ।
ସୂଚନାନୁଯାୟୀ ଲକଡାଉନ ଜାରି ରହିଥିବା ବେଳେ ରାତି ପ୍ରାୟ ସାଢେ଼ ଗୋଟାଏ ସମୟରେ ଦିଗପହଣ୍ଡି ପୋଲିସ ଏସ୍ ଆଇ ମାଧବ ଚନ୍ଦ୍ର ଟାକିରୀ ଓ କର୍ମଚାରୀମାନେ କଇଠଖଣ୍ଡି , ତଲାସିଙ୍ଗି , ଭୂଷୁଣ୍ଡା ଆଦି ଗ୍ରାମ ମାନଙ୍କରେ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ କମଳାପୁର ଛକ ନିକଟବର୍ତ୍ତୀ ଏକ ଗଛ ମୂଳରେ ଅଭିଯୁକ୍ତ ମାନେ ତଲାସିଙ୍ଗି ଏସବିଆଇ ବ୍ୟାଙ୍କକୁ ଲୁଟିବା ପାଇଁ ଯୋଜନା କରୁଥିଲେ । ତେବେ ପୋଲିସ ଉକ୍ତ ବାଟରେ ଯିବା ସମୟରେ ଡକାୟତି ଗ୍ୟାଙ୍ଗ ବିଷୟ ଜାଣିବାକୁ ପାଇଥିଲେ ।
ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଥିଲା । ତେବେ ପୋଲିସ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଡକାୟତି ଯୋଜନା ନିମନ୍ତେ ବ୍ୟବହାର ପାଇଁ ରହିଥିବା ବୋମା , ଲୁହାରଡ , ଲୁହା ପାଇପ , 5ଟି ମୋବାଇଲ ସମେତ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା । ଏନେଇ ଦିଗପହଣ୍ଡି ପୋଲିସ ଥାନା ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଗିରଫଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ