ବ୍ରହ୍ମପୁର: ଏଥର ଦଣ୍ଡୁଆମାନଙ୍କୁ ନେଇ ଗଞ୍ଜାମରେ ଦଣ୍ଡଯାତ୍ରା ଆୟୋଜିତ କରାଯିବ । କୋଭିଡ ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ଜୀବନକୁ ପ୍ରାଧାନ୍ୟ ଦେଇ ଜିଲ୍ଲାରେ କୋଭିଡ ନିୟମ ଅନୁପାଳନ କାର୍ଯ୍ୟ ଆରମ୍ଭ ହୋଇଛି ।
ଚଳିତ ବର୍ଷର ଦଣ୍ଡନାଚ ମାନସିକଧାରୀମାନଙ୍କ ପାଇଁ ପାରମ୍ପରିକ ରୀତିରେ ପାଳନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଭିଡିଓ କନଫେରନ୍ସିରେ ଆୟୋଜିତ ବୈଠକରେ ଏନେଇ ଜିଲ୍ଲାପାଳ ଅବଗତ କରିଥିଲେ । ଦଣ୍ଡ ଯାତ୍ରା ସମୟରେ ଦୁଇ ଶହ ଲୋକଙ୍କୁ ସୀମିତ ରଖି କେବଳ ମାନସିକ ଦଣ୍ଡଯାତ୍ରା ପାଳିତ ହେବ । ଦଣ୍ଡ ଯାତ୍ରା ଆୟୋଜନ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେବାକୁ ପଡିବ । କୌଣସି ଅସୁବିଧା ଦେଖାଗଲେ ଆୟୋଜକ ନିଜେ ଦାୟୀ ରହିବେ ।
ଦଣ୍ଡଯାତ୍ରାରେ ଭୋଜି କି ଅନ୍ନ ପ୍ରସାଦ ଜନସାଧାରଣ ମଧ୍ୟରେ ବଣ୍ଟନ କରିବେ ନାହିଁ । କେବଳ ରାତ୍ରୀ ସମୟରେ ମାନସିକଧାରୀ ଦଣ୍ଡୁଆ ଦିନକୁ ପ୍ରସାଦ ପ୍ରସ୍ତୁତ କରି ସେବନ କରିବାକୁ ଜିଲ୍ଲାପ୍ରଶାସନ ଅନୁମତି ଦେଇଛନ୍ତି । ଦଣ୍ଡଯାତ୍ରା ବେଳେ ଟ୍ରାଫିକ୍ ସମସ୍ୟା ଯେପରି ହେବନାହିଁ । ଡିଜେ, ରେକର୍ଡ ମ୍ୟୁଜିକ୍, ଅପେରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାର ଲୋକଙ୍କୁ ଏଥିରେ ସାମିଲ୍ କରିବାକୁ ବାରଣ କରାଯାଇଛି ।
ଏହା ସହ ଶିବରାତ୍ରି ଜାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ବିନା ମାସ୍କରେ ମନ୍ଦିରକୁ ଅନୁମତି ନାହିଁ । କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ମନ୍ଦିର ଭିତରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ । କୋଭିଡ ଲକ୍ଷଣ ଯୁକ୍ତ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମନ୍ଦିର ଆସିବେ ନାହିଁ । ଆରାଧ୍ୟ ଦେବୀ ମାଁ ତାରା ତାରିଣୀଙ୍କର ଚୈତ୍ର ମାସର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍ ଜାରି କରାଯାଇଛି । ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମାଁ ଙ୍କର ଦର୍ଶନ କରିପାରିବେ । ମାଁ ଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ