ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଉଦଘାଟିତ ହେଲା ବିଜୁ ପଟ୍ଟନାୟକ ଆଡ଼ଭେଞ୍ଚର ପାର୍କ । ବେଳାଭୂମି ସହର ଗୋପାଳପୁରକୁ ଆସିବା ପାଇଁ ଏବେ ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିବ ଏହି ପାର୍କ । ବିଶେଷକରି ରୋମାଞ୍ଚ ପ୍ରେମୀ ବ୍ୟକ୍ତିଙ୍କ ପାଇଁ ଯୋଗାଇବ ଦୁଃସାହାସିକ ଖେଳ ମନୋରଞ୍ଜନ ଭରପୂର ସୁଯୋଗ ।
2.5 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ଏହି ପାର୍କକୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପାର୍କ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବା ଏଭଳି ପାର୍କ ନିଶ୍ଚିତ ରୂପେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ସହ ଗୋପାଳପୁରରେ ସମୁଦ୍ର ସହିତ ଏହାର ଅନେକ ମଜ୍ଜା ଉଠାଇପାରିବେ ବୋଲି କହିଛନ୍ତି ।
ଏହି ପାର୍କରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ରହିଥିବା 250 ମିଟର ଲମ୍ୱା ବିଶିଷ୍ଟ ଜିପ୍ ଲାଇନ୍, 40 ପୁଟ ବିଶିଷ୍ଟ Giant Swing , ଏୟାର ଗନ୍, ବୁଲ୍ ରାଇଡ୍ , ନେଟ୍ ମଧ୍ୟରେ କ୍ରିକେଟ୍ ଏବଂ ସମୁଦ୍ର ବେଳାଭୂମିରେ ଏ.ଟି.ଭି ରାଇଡରର ସୁବିଧା ରହିଛି । ଏହି ପାର୍କର ଉଦଘାଟନ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ