ବ୍ରହ୍ମପୁର: ଗଞ୍ଜାମରେ ଆୟୋଜିତ ହୋଇଥିବା ସପ୍ତାହ ବ୍ୟାପି ସ୍ବଚ୍ଛ ନିର୍ମଳ ବେଳାଭୂମି ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗୋପାଳପୁର ବେଳାଭୂମିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ ।
ଆର୍.ସି.ସି.ଏଫ୍ ସୁରେଶ ପନ୍ଥ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ସମେତ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗତ ସାତ ଦିନ ଧରି ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରର ବହୁ ବିଦ୍ୟାଳୟର ବିଦ୍ୟାର୍ଥୀ ସ୍ବଚ୍ଛ ନିର୍ମଳ ବେଳାଭୂମି ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଠାରୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉଭୟ ଗୋପାଳପୁର ବେଳାଭୂମି ଓ ସୋନପୁର ବେଳାଭୂମିକୁ ସଫେଇ କରିଥିଲେ ।
ଏହାସହ ବେଳାଭୂମିକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ରଖିବା ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ରବିବାର ଆୟୋଜିତ ହୋଇଥିବା ମୋ ଗୋପାଳପୁର କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାକୁ ଗୀତ, ନାଚ ମାଧ୍ୟମରେ ଅଧିକ ଚିତାକର୍ଷକ କରାଯାଇଥିଲା । ମୁଖ୍ୟତଃ ସରକାରଙ୍କ ଜଙ୍ଗଲ, ପରିବେଶ ବିଭାଗ ସହାୟତାରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ