ବ୍ରହ୍ମପୁର: ଓଡିଆ ପଢା ଲେଖା ଜାଣି ନଥିବା ଯୋଗୁଁ ସରପଞ୍ଚ ବହିଷ୍କାର । ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଗସ୍ତି ନୂଆଁଗାଁ ପଞ୍ଚାୟତରେ ଘଟିଛି । ସମ୍ପୃକ୍ତ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିଛନ୍ତି ଛତ୍ରପୁର ସିଭିଲ କୋର୍ଟ ।
ସୂଚନା ମୁତାବକ, ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ପଞ୍ଚାୟତର ବିଜୟୀ ସରପଞ୍ଚ ପି.ସିମାଦ୍ରୀଙ୍କ ବିରୋଧରେ ଗତ ୨୦୧୭ ମସିହାରେ ଛତ୍ରପୁର ସିଭିଲ କୋର୍ଟରେ ପଞ୍ଚାୟତର ଅନ୍ୟତମ ପ୍ରତିଦ୍ବନ୍ଦୀ ନିବାସୀ ଗୌଡ଼ ଏକ ପିଟିସନ ଦାଖଲ କରିଥିଲେ । ସରପଞ୍ଚ ଜଣକ ଓଡିଆରେ ଲେଖାପଢା ଜାଣିନଥିବା ପିଟିସନରେ ଉଲ୍ଲେଖ ଥିଲା । ଶୁକ୍ରବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଏହି ମାମଲାର ଶୁଣାଣି ହୋଇଛି । ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ