ବ୍ରହ୍ମପୁର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସୁରଟ ଫେରନ୍ତା ପ୍ରବାସୀ ଓଡିଆ ବହୁ ମାତ୍ରାରେ ପଜଟିଭ ଚିହ୍ନଟ ହେଉଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଜିଲ୍ଲାର କୋରୋନା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ ।
ସ୍ଥିତି ସମୀକ୍ଷା କରିବା ପାଇଁ ଦିଲ୍ଲୀରୁ ଏକ ଟିମ ଗଞ୍ଜାମ ପହଞ୍ଚିଥିଲା । ଏହି ଟିମ୍ ସହ ରାଜଧାନୀ ଭୁବନେଶ୍ବର ଏକ ଟିମ୍ ମଧ୍ୟ ସାମିଲ ଥିଲା । ଆସିଥିବା ଏହି ଦୁଇ ଟିମ୍ ବିଭିନ୍ନ ଅଞ୍ଚଳ ବୁଲି ଅନେକ ବିଷୟକୁ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଦିଲ୍ଲୀରୁ ଆସିଥିବା ଏନସିଡିସିର ଦୁଇ ଜଣିଆ ଟିମ୍ ଜିଲ୍ଲାରେ କୋରୋନାର ସ୍ଥିତି ଓ ତାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ହେଲଥ୍ ସରର୍ଭିସେସର ନର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର , ସିଡିଓମଓ ଡାକ୍ତର ଉମା ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଏହି ଟିମ୍ର ସଦସ୍ୟ ଡାକ୍ତର ମହେଶ ଓ ଡାକ୍ତର ତୁଷାର ଆଲୋଚନା କରିବା ସହ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି ।
ଅନ୍ୟପକ୍ଷେ ଏହି ଟିମ୍ ଠାରୁ ମିଳିଥିବା ବିଭିନ୍ନ ପରାମର୍ଶକୁ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିବା ବେଳେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ କୌଣସି ଆଶଙ୍କା ନଥିବାରୁ ଭୟଭୀତ ହେବାର କୈଣସି ଆବଶ୍ୟକତା ନଥିବା ସେ ସୂଚନା ଦିଆଯାଇଛି । ସେହିପରି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ କ୍ବାରେଣ୍ଟିନ ଅବଧି ସରିବା ପରେ ମଧ୍ୟ ସେମାନେ ନିଜ ଘରେ ୧୪ ଦିନ କ୍ବାରେଣ୍ଟିନରେ ରହିବା ପାଇଁ କୁହାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ