ବ୍ରହ୍ମପୁର: କୋଭିଡକୁ ନେଇ ଚିନ୍ତାରେ ସମଗ୍ର ବିଶ୍ବ। ସବୁଠି ଦେଖିବାକୁ ମିଳିଲାଣି ଆର୍ଥିକ ମାନ୍ଦାବସ୍ଥା। ହେଲେ ଏଭଳି ସମୟରେ ମହିଳାଙ୍କୁ ରୋଜଗାରକ୍ଷମ ସହିତ ଆତ୍ମନିର୍ଭରଶୀଳ କରାଇଛି ପଞ୍ଚାୟତର ସିଲାଇ କେନ୍ଦ୍ର। ଗ୍ରାମର ମହିଳା ମାନେ ନିଜ ଘରର କାର୍ଯ୍ୟ ଶେଷ କରିବା ପରେ ଏକତ୍ରିତ ହେବା ସହିତ ଜୀବିକା ମିଶନ ଜରିଆରେ ମା' ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ କରି ନିଜର ବଳକା ସମୟକୁ ସଦୁପଯୋଗ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଭଲ ଦୁଇ ପଇସା ଅର୍ଥ ରୋଜଗାର କରି ବେଶ ଖୁସି ଅନୁଭବ କରୁଥିବା ଦେଖାଯାଇଛି।
ଗଞ୍ଜାମ ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଞ୍ଚାୟତର ମା' ମହାଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀର ମହିଳା ମାନେ ମାସ୍କ ଠୁ ଆରମ୍ଭ କରି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପାଇଁ ଏମାନେ ସିଲେଇ କରୁଛନ୍ତି ପୋଷାକ । ଆଉ ଏମାନଙ୍କ ହାତ ତିଆରି ସାମଗ୍ରୀକୁ ବିକ୍ରି କରିବା ଦିଗରେ ବେଶ ଗୁରୁତ୍ବ ଦିଆଯାଉଛି। ସରକାରଙ୍କ ଜୀବିକା ମିଶନ ଜରିଆରେ ଋଣ ଆଣି ଆରମ୍ଭ କରିଥିଲେ ଏହି ଗୋଷ୍ଠୀ। ପରେ ପଞ୍ଚାୟତର କିଛି ମହିଳାଙ୍କୁ ନେଇ 15 ଗୋଟି ମେସିନ ଜରିଆରେ ସିଲେଇ ଶିକ୍ଷା ଦିଆଯାଇଥିଲା। ଏହାପରେ ଦୈନିକ କାର୍ଯ୍ୟ ଶେଷ ପରେ ଏମାନେ ଘରେ ବସି ନରହି ସିଲେଇ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ବର୍ତ୍ତମାନ ଏହି କେନ୍ଦ୍ରର ମହିଳା ମାନଙ୍କ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ସତେଯେପରି ଉଦାହରଣ ପାଲଟଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ମହିଳାଙ୍କ ଏପରି କାର୍ଯ୍ୟକୁ ଦେଖି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ