ବ୍ରହ୍ମପୁର: ନିର୍ଭୟା ଘଟଣାର 4 ଅଭିଯୁକ୍ତଙ୍କୁ ଫାଶୀ ଦେବା ଘଟଣାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏଥିପାଇଁ ଚାରିଆଡେ ଏବେ ଫାଶୀ ଓ ତାହାର ପ୍ରକ୍ରିୟାକୁ ନେଇ ଚାଲିଛି ବିଚାର ବିମର୍ଶ । ତେବେ ଆପଣ ଜାଣନ୍ତି କି ଓଡିଶାର କେଉଁଠି ରହିଛି ଫାଶୀ ଦେବାର ବ୍ୟବସ୍ଥା? କଣ ରହିଛି ଏହାର ପ୍ରକ୍ରିୟା ? ଦେଖନ୍ତୁ ଏ ନେଇ ଇଟିଭି ଭାରତର ବିଶେଷ ରିପୋର୍ଟ ।
ଓଡିଶାର ଏକ ମାତ୍ର ଜେଲ ବ୍ରହ୍ମପୁରର ମଣ୍ଡଳ କାରାଗାର ରହିଛି । ଯେଉଁଠି ଗୋଟିଏ ଥରରେ 2 ଜଣଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାର ବ୍ୟବସ୍ଥା ରହିଛି । ୧୯୪୨ ମସିହାର ଭାରତଛାଡ ଆନ୍ଦୋଳନ ବେଳେ ଅସାଧାରଣ ବିରତ୍ବ ସହ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇ କରିଥିବାରୁ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଙ୍କୁ ୧୯୪୩ ମାର୍ଚ୍ଚ ୨୯ ରେ ଏଠାରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଏହା ପରଠୁ ଏହି ଫାଶୀଖୁଣ୍ଟ ଏକ ପ୍ରକାର ଶାନ୍ତ ପଡିଯାଇଥିଲା । ୧୯୪୭ ମସିହାରେ ଦେଶ ସ୍ବାଧିନତା ପରଠୁ ୧୯୫୭ ମସିହା ମଧ୍ୟରେ କେହି ଫାଶୀ ପାଇଥିବାର ରେକର୍ଡରୁ ଜଣାପଡୁନଥିବା ବେଳେ ୧୯୫୮ ମସିହାର ମେ ୧୮ ତାରିଖରେ ଧନମତ ଗୁରୁ ନାମକ ୪୭ ବର୍ଷୀୟ ବ୍ୟକ୍ତିକୁ ବ୍ରହ୍ମପୁର ରେ ଫାଶୀ ଦିଆଯାଇଥିଲା ।
ସେହିପରି ୧୯୬୩ ମସିହାର ଜୁନ୍ ୨୯ ତାରିଖରେ ଅର୍ଜୁନ ଓରଫ ପୋଲକ ଡମ୍ବ ନାମକ ୨୨ ବର୍ଷୀୟ ଯୁବକଙ୍କୁ ଧାରା ୩୦୨ ଅନୁଯାୟୀ ଫାଶୀ ଦିଆଯାଇଥିବା ଜଣାପଡିଛି । ୧୯୬୮ ମେ ୧୮ ତାରିଖରେ ୩୭ ବର୍ଷୀୟ ମାଡକାମୀ ମଲ ଏବଂ ୧୯୭୧ ମସିହା ଅଗଷ୍ଟ ୩ ତାରିଖରେ ୪୩ ବର୍ଷୀୟ ରାଘବ ନାୟକ ଏବଂ ୧୯୯୪ ମସିହା ଜୁଲାଇ ୧୬ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ଟଙ୍ଗରଯୋଡା ଗ୍ରାମର ଲକ୍ଷ୍ମଣ ନାୟକଙ୍କୁ ଶେଷ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶରେ ନିଜ ଝିଆରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଏଠାରେ ଫାଶୀ ଦିଆଯାଇଥିବା ମଣ୍ଡଳ କାରଗାରର ରେକର୍ଡରୁ ଜଣାପଡେ ।
ତେବେ ଏହି ଫାଶୀ ସମୟରେ କିଭଳି ରହିଥାଏ ଜେଲ ପରିସର ମାହୋଲ? କଣ ରୁହେଁ ପ୍ରସ୍ତୁତି ? ଫାଶୀଖୁଣ୍ଟରେ ଦୋଷୀକୁ ଝୁଲାଇବା ପାଇଁ ମହାରାଷ୍ଟ୍ରର ରତ୍ନଗିରି ଜେଲରୁ ଦୁଇଜଣ ଜହ୍ଲାଦ୍ ବ୍ରହ୍ମପୁର ଜେଲ୍ କୁ ଆସି କିଭଳି କରିଥିଲେ ଏହି କାର୍ଯ୍ୟ । ବ୍ରହ୍ମପୁର ମଣ୍ଡଳ କାରାଗାରର ପରିସର ସେହି ସମୟରେ କିଭଳି ରହିଥିଲା ଆସନ୍ତୁ ଶୁଣିବା ।
ମୁଖ୍ୟତଃ ଫାଶୀଖୁଣ୍ଟରେ ଅଭିଯୁକ୍ତକୁ ଦଣ୍ଡିତ କରାଯିବା କଥା ଉଠିଲେ ବ୍ରହ୍ମପୁର ମଣ୍ଡଳ କାରାଗାରର ରାଜ୍ୟବାସୀ ଙ୍କ ମନେ ପଡୁଥିବା ବେଳେ ଫାଶୀଖୁଣ୍ଟ ଝୁଲାଇବା ପୂର୍ବରୁ ଉକ୍ତ ଦଉଡିରେ ଲହୁଣୀ ଠାରୁ ଆରମ୍ଭ କରି କଦଳୀ ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ଘଷାଯାଇ ତାହାକୁ ଅତ୍ୟନ୍ତ ଚିକ୍କଣ କରାଯାଇଥାଏ । ଯେଉଁ ଦିନ ଅଭିଯୁକ୍ତକୁ ଫାଶୀଖୁଣ୍ଟରେ ଝୁଲାଯାଇଥାଏ ସେହିଦିନ ଜେଲ ପରିସର ମଧ୍ୟରେ ଡାକ୍ତରୀ ଦଳ ସହ ସରକାରୀ ପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତି ମଧ୍ୟ ରହିଥାନ୍ତି । ଏହା ପରେ ସରକାର ନିୟମ ଅନୁଯାୟୀ ଅଭିଯୁକ୍ତ କୁ ଫାଶୀଖୁଣ୍ଟକୁ ନେବା ସହ ଅଭିଯୁକ୍ତକୁ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟରେ ନିଯୁକ୍ତ ହୋଇଥିବା ଜହ୍ଲାଦ୍ ତାର କାର୍ଯ୍ୟ କରିଥାଏ ।
ତେବେ ଏବେବି ବ୍ରହ୍ମପୁର ମଣ୍ଡଳ କାରାଗାରର ଏହି ଫାଶୀଖୁଣ୍ଟ କାର୍ଯ୍ୟକ୍ଷମ । ଦୋଷୀଙ୍କୁ ଦଣ୍ଡିତ କରିବା ପାଇଁ ଏହା ସବୁ ବେଳେ ତତ୍ପର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ