ବାରିପଦା: ବିଧିର ବିଧାନ । ମୃତ୍ୟୁ ଏମିତି ବି ଆସେ । ରାଜ୍ୟ ବାହାରେ ରହି ପାଠ ପଢୁଥିବା ବେଳେ ହୋଲି ଛୁଟିରେ ଘରକୁ ଆସିଥିଲେ । ଘରୁ ସାଇକେଲ ଧରି ବୁଲିବା ପାଇଁ ବାହାରିଥିବା ବେଳେ ବାଇକ ଧକ୍କାରେ ଯୁବତୀଙ୍କ ଜୀବନ ଯାଇଛି । ସେପଟେ ବାଇକରେ ଥିବା ଦୁଇ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୁନ ମଧୁପୁର ଗ୍ରାମରେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ନାଗପାଳ ଗ୍ରାମର ଶ୍ରୀଦେବି ଶୁଭଦର୍ଶିନୀ ପୁହାଣ ରାଜ୍ୟ ବାହାରେ ରହି ପାଠ ପଢନ୍ତି । ହୋଲି ଛୁଟିରେ ସେ ଘରକୁ ଆସିଥିବାବେଳେ ରବିବାର ସନ୍ଧ୍ୟା ସମୟରେ ସାଇକେଲ ଧରି ବୁଲିବାକୁ ବାହାରିଥିଲେ। ସାଇକେଲରେ ସେ ଉଦଳା-ବାରିପଦା ରାସ୍ତାର ମଧୁପୁର ଛକ ପହଞ୍ଚିବା ବେଳେ ସାମ୍ନାରୁ ଆସି ଏକ ବାଇକ୍ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକରେ ଥିବା ଦୁଇ ଜଣ ଯୁବକ ସ୍ଥାନୀୟ ମେଣ୍ଟାଖାଇ ଗ୍ରାମର ସାଗର ମିରିଡିଆ ଏବଂ ରଜେଶ ପଢିଆଳଙ୍କ ଅବସ୍ଥା ଗୁରୁତର ରହିଛି ।
ଗୁରୁତର ଦୁଇ ଜଣ ଯୁବକଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ମୃତ୍ୟୁ କୁ ନେଇ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବରପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ