ବାଲେଶ୍ବର: ଡିଷ୍ଟାନ୍ସ ଏଜୁକେସନରୁ ବଞ୍ଚିତ ଛାତ୍ରଛାତ୍ରୀ । ଦୁଇ ବର୍ଷ ହେଲା ବାଲେଶ୍ଵର ଫକୀରମୋହନ ବିଶ୍ବ ବିଦ୍ୟାଳୟର ପୁରୁଣା କ୍ୟାମ୍ପରେ ଥିବା ଡିଡିସିଇ (ଡିରେକ୍ଟୋରେଟ୍ ଅଫ୍ ଡିସଟାନ୍ସ୍ ଆଣ୍ଡ କଣ୍ଟିନ୍ୟୁୟିଂ ଏଜୁକେସନ୍) ବା ଦୂରତା ଏବଂ ନିରନ୍ତର ଶିକ୍ଷା ନିର୍ଦେଶାଳୟର ବିଭାଗର ଦୂରତାରେ ପିଜି ପାଠ୍ୟକ୍ରମ ପାଇଁ ସୁଯୋଗ ପାଉନାହାନ୍ତି ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀ ମାନେ ଡିଷ୍ଟାନ୍ସରେ ପଢ଼ିବା ପାଇଁ ଅପେକ୍ଷା କରି ରହିଥିବା ବେଳେ ଦୀର୍ଘ ବର୍ଷ ହେଲା ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ବିଜ୍ଞାପନ କି ସୂଚନା ମଧ୍ୟ ପ୍ରକାଶ ପାଉନାହିଁ । ଫଳରେ ବାଲେଶ୍ବର ତଥା ଉତ୍ତର ଓଡ଼ିଶା ଛାତ୍ରଛାତ୍ରୀ ଡ଼ିଷ୍ଟାନ୍ସରେ କୌଣସି ବିଷୟବସ୍ତୁରେ ପିଜି କରିବା ପାଇଁ ଅସୁବିଧା ଭୋଗୁଛନ୍ତି।
ସୂଚନା ଅନୁସାରେ, ପାଖାପାଖି ଦୁଇ ବର୍ଷ ହେବ ବନ୍ଦ ରହିଛି ଫକୀରମୋହନ ବିଶ୍ବବିଦ୍ୟାଳୟର ଡିଡିସିଇ ବିଭାଗ। ୟୁଜିସି ପକ୍ଷରୁ ଉକ୍ତ ବିଭାଗକୁ ବନ୍ଦ କରିଦିଆଯାଇଥିବା ଜଣାପଡିଛି। କବେଳ ବନ୍ଦ ହେବା ପୂର୍ବରୁ ଯେଉଁ ପିଲାମାନେ ଡିସଟାନ୍ସ୍ ପାଇଁ ନାମ ଲେଖାଇଥିଲେ ସେମାନେ ପଢ଼ୁଛନ୍ତି ନହେଲେ ଦୁଇ ବର୍ଷ ହେଲା ସମ୍ପୂର୍ଣ୍ଣ ଡିସଟାନ୍ସ୍ ଶିକ୍ଷା ପାଇଁ ବନ୍ଦ ରହିଛି ବିଭାଗ । କେବଳ ରେଗୁରାଲ କୋର୍ସ ପାଇଁ ଅନୁମତି ରହିଥିବା ଜଣାପଡ଼ିଛି। ପାଖାପାଖି ୧୩ ଶହ ପିଲା ଡିଡିସିଇରେ ପାଠ ପଢ଼ୁଥିଲେ । ଏବେ ନୂଆ ନାମଲେଖା ପାଇଁ ବିଶ୍ବବିଦ୍ୟାଳୟକୁ ଅନୁମତି ନାହିଁ ।
୨୦୧୮ ମସିହାରେ ୟୁଜିସି ଅଧିନରେ ଡିଡିସିଇ ବିଭାଗ ଆସିବା ପରେ ୟୁଜିସିର ସର୍ତ୍ତ ଅନୁସାରେ, ବିଭାଗର ଗୁଣବତ୍ତା ବୃଦ୍ଧି କରିବାକୁ ସମଗ୍ର ଭାରତରେ ଯେକୌଣସି ବିଶ୍ବବିଦ୍ୟାଳୟ ନାକ୍ ରେ ଯଦି ଏ +(ପ୍ଲସ୍) ନରଖୁଛି ତେବେ ସେମାନେ ଡିଡିସିଇ ବିଭାଗ ଚଲାଇପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ଫକୀରମୋହନ ବିଶ୍ବବିଦ୍ୟାଳୟ ନାକ୍ ଟିମ୍ ଦ୍ବାରା ବି ପ୍ଲସ୍ ପାଇବା ପରେ ବିଭାଗଟି ୟୁଜିସି ଦ୍ବାରା ବନ୍ଦ କରିଦିଆଯାଇଥିବା ଜଣାପଡିଛି। ପୁଣି ବିଶ୍ବବିଦ୍ୟାଳୟ ଏ ପ୍ଲସ୍ ରେଙ୍କ୍ ପାଇବା ପରେ ପୁଣି ଡିଡିସିଇ ବିଭାଗ ଚାଲିପାରିବ ବୋଲି ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ