ବାଲେଶ୍ବର: ଜିଲ୍ଲାର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ପ୍ରଦାନ କରିବା ପ୍ରସଙ୍ଗ । ଏହାର ଅଭିଯୋଗରେ ପୁଣି ଜଣେ ଅଭିଯୁକ୍ତ ଗିରଫ । ଏହକୁ ମିଶାଇ ସମୁଦାୟ 5 ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାମ ସଚ୍ଚିନ କୁମାର ଛେତା ବୋଲି ସୂଚନା ମିଳିଛି ।
ଅଭିଯୁକ୍ତ ଜଣକ ପ୍ରତିରକ୍ଷା ବିଭାଗର ଜଣେ ସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ଉତ୍ତରପ୍ରଦେଶରେ । ସଚ୍ଚିନଙ୍କୁ SDJMଙ୍କ ନିକଟରେ ହାଜର କରିଛି ଚାନ୍ଦିପୁର ପୋଲିସ । ତାଙ୍କ ଜାମିନ ଆବେଦନ ଖାରଜ ପରେ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଆଜି(ଗୁରୁବାର) ବାଲେଶ୍ଵରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ସାରିଛି ।
ତେବେ ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପାକିସ୍ତାନକୁ ପ୍ରଦାନ ମାମଲାରେ NIA ଟିମ ବାଲେଶ୍ଵରରେ ପହଂଚିଛି । ଏହି ଟିମର ଦୁଇଜଣ ବାଲେଶ୍ଵର ଏସ୍ପିଙ୍କ ସହ ଏହି ମାମଲା ବିଷୟରେ ଆଲୋଚନା କରୁଛନ୍ତି । ଏହି ଘଟଣା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । NIA ଟିମ ଏହାର ପ୍ରାଥମିକ ତଦନ୍ତ ବିଷୟରେ ତଥ୍ୟ ଜାଣିବା ପାଇଁ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
ଏହା ବି ପଢନ୍ତୁ: ତଥ୍ୟ ଲିକ୍ ଅଭିଯୋଗରେ ଚାନ୍ଦିପୁର DRDOର 4 ଠିକା କର୍ମଚାରୀ ଗିରଫ
ଆଗାମୀ କିଛିଦିନ ତଦନ୍ତ ଏଠାରେ କରାଯିବାକୁ ଥିବା ବେଳେ ଏହି ମାମଲାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ କରାଯିବ । ତେବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବା ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ । ତେବେ ତଦନ୍ତ ପରେ ଏ ସମ୍ପର୍କରେ ଜଣାପଡିବ ବୋଲି ସୂଚନା ମିଳିଛି ।
ଏହା ବି ପଢନ୍ତୁ: ଚାନ୍ଦିପୁର ITRରୁ ଗୁପ୍ତତଥ୍ୟ ପ୍ରଦାନ ପ୍ରସଙ୍ଗ; ତଦନ୍ତ ପାଇଁ ବାଲେଶ୍ବରରେ SIT ଟିମ
ପୂର୍ବରୁ ଏହି ମାମଲାରେ ଗିରଫ 4 ଅଭିଯୁକ୍ତ ମଧ୍ୟ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଏବଂ ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ସେପଟେ ଏ ସମ୍ପର୍କରେ ଅଧିକ ତଦନ୍ତ କରିବା ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA)ର ୨ ଜଣ ଅଧିକାରୀ ବାଲେଶ୍ବରରେ ପହଞ୍ଚିଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ