ବାଲେଶ୍ଵର: ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଠାରେ ଫୁଟିଲା ଗୁଳି । ବ୍ୟବସାୟୀଙ୍କୁ 2 ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।
ସୂଚନାନୁଯାୟୀ, ବାଲେଶ୍ବର ସେରଗଡ଼ ବଜାରରେ ଭାଗବତ ରାଉତ ହୋଲସେଲ ବେପାର କରନ୍ତି । ଆଜି ଦିନ ଦ୍ବିପ୍ରହର ବେଳେ 5 ଜଣ ଯୁବକ ଦୁଇଟି ବାଇକରେ ଭାଗବତଙ୍କ ଦୋକାନକୁ ଆସି ତାଙ୍କୁ ମିକ୍ସଚର ପ୍ୟାକେଟ ମାଗିଥିଲେ । ଭାଗବତ ଭୁଜିଆ ଦେବାକୁ ନଇଁ ପଡିବା ବେଳେ ଯୁବକ ଦୁଇଜଣ ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୌଡ଼ି ପଳାଇଥିଲେ । ପରେ ଭାଗବତ ତାଙ୍କୁ ଧରିବାକୁ ପଛେ ପଛେ ଦୌଡୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।
ଭାଗବତଙ୍କ ମୁଣ୍ଡ ଓ ବାମ ହାତରେ ଗୁଳି ବାଜିଥିବା ବେଳେ ତାଙ୍କୁ ବାଲେଶ୍ଵର ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭାଗବତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ତେବେ ସୁନା ଚେନ ଛିନତାଇ ଯୋଗୁଁ ଏମିତି ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପଟେ ପୂଜା ମାହୋଲରେ ଗୁଳିକାଣ୍ଡ ଘଟଣା ବାଲେଶ୍ବରରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ପୋଲିସ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ