ବାଲେଶ୍ବର: ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ ହେବା ଘଟଣା । ପ୍ରଥମେ ଯୁକ୍ତିତର୍କ, କଥାକଟାକଟି ଓ ପରେ ଧାରଣା । ହେଲେ ଏବେ କାହାଣୀ ଟିକେ ଭିନ୍ନ ମୋଡ ନେଲାଣି । ଘଟଣା ବଢିବାସହ ଆଇନର ଆଶ୍ରମ ନେବେ ବୋଲି କହିଛନ୍ତି ତହସିଲଦାର ସୁଶ୍ରୀତା ଟୁଡୁ । ଜଣେ ମହିଳା ଅଧିକାରୀ ହିସାବରେ ତାଙ୍କ ପ୍ରତି ବ୍ୟବହାର କରାଯାଇଥିବା ଅଭିଯୋଗ କରିଛନ୍ତି ସେ ।
ଖବର ଅନୁଯାୟୀ, ବିନା ଥଇଥାନରେ ନୀଳଗିରି କଚେରୀ ପରିସରରେ ଥିବା ମୋହରିରଙ୍କ ଚାଳି ଭାଙ୍ଗିବାକୁ ନେଇ ମୁହାଁମୁହିଁ ହୋଇଥିଲେ ଅଫିସର ଓ ବିଧାୟକ । ଚାଳିଗୁଡିକୁ ଭାଙ୍ଗିବାକୁ ନୀଳଗିରି ତହସିଲଦାର ଓ ଅତିରିକ୍ତ ତହସିଲଦାର, ସଦର ଆରଆଇ ଜେସିବି ମେସିନ ଆଣି ଆସିଥିଲେ ।
ଏହାକୁ ବିଧାୟକ ସୁକାନ୍ତ ନାୟକ ବିରୋଧ କରିଥିଲେ । ପ୍ରଥମେ ଥଇଥାନ କରି ଭାଙ୍ଗିବା ପାଇଁ କହିଥିଲେ ବିଧାୟକ । ଯାହାକୁ ନେଇ ଅଫିସର ଓ ବିଧାୟକ ମୁହାଁମୁହିଁ ହୋଇଥିଲେ । ବେଶ୍ କିଛି ସମୟ ତହସିଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ତେବେ ଏହି ସମୟରେ ସରକାରୀ କର୍ମଚାରୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ଦର୍ଶାଇ ସେ ଉପଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ ।
ତେବେ ଘଟଣାକୁ ନେଇ ଶେଷରେ ତହସିଲଦାର ସୁଶ୍ରୀତା ଟୁଡୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶକୁ ସେ ସମ୍ମାନ ଜଣାଇଛନ୍ତି । ସରକାରୀ କାର୍ଯ୍ୟ ବେଳେ ବିଧାୟକ ତାଙ୍କୁ ବାଧା ଦେବାସହ ଦୁର୍ବ୍ୟବହାର କରିଥିବାରୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ନେଇ ନୀଳଗିରିରେ ରାଜନୈତିକ ଉଷ୍ମତା ବଢିଥିବା ଦେଖିବାକୁ ମିଳିଛି ।
ତେବେ ମିଳିଥିବା ସୂଚନା ମୁତାବକ, ବିଧାୟକ ଏବଂ ତହସିଲଦାର ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛିନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ