ବାଲେଶ୍ବର: ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି । କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି । ମାତ୍ର ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ନିଘା ନାହିଁ । ଏମିତି ସରକାରୀ ଯୋଜନାରେ ଅବହେଳାର ଶିକାର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ପଞ୍ଚାୟତ କନ୍ଦିପୁର ଗ୍ରାମର 55 ବର୍ଷୀୟା ବୃଦ୍ଧା ଦୁତିନ ଖଟୁଆ ।
ଦୁତିନଙ୍କ ସ୍ବାମୀ ଭାସ ଖଟୁଆ ଦୀର୍ଘ ବର୍ଷ ପୂର୍ବରୁ ଏକ ଅଜଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ। ଗୋଟିଏ ବୋଲି ଝିଅ ଥିଲା ଯେ ସମ୍ବଳ ଅଭାବରୁ ବିବାହ କରାଇ ନ ପାରି ଶେଷରେ ତାଙ୍କୁ ବାହାରକୁ ପଠାଇ ଦେଇଛନ୍ତି । ପରିଣତ ବୟସରେ ଦୁତିନ ଦୁଇ ଓଳି ଖାଇବା କଷ୍ଟସାଧ୍ୟ ହେଉଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଥିବା ଘରଟି ପ୍ରାୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଗାଁ ଲୋକଙ୍କ ଦ୍ବାରା କେତେବେଳେ ଦୁତିନଙ୍କ ପେଟ ପୁରିଥାଏ ତ ପୁଣି କେତେବେଳେ ଓପାସ ରୁହନ୍ତି ସେ ।
ଏହାରି ଭିତରେ ଭଙ୍ଗା କୁଡ଼ିଆରେ ପ୍ରବଳ ଶୀତରେ ଥରୁଛନ୍ତି ଦୁତିନ । ବର୍ଷା ହେଲେ ସମସ୍ୟା ଆହୁରି ବଢି ଯାଉଛି । ଘର ସାରା ପାଣି ହୋଇଯାଏ । ଏବେ ଦୁତିନଙ୍କ ଆଖିକୁ କିଛି ଦେଖା ଯାଉନଥିବାବେଳେ ତାଙ୍କର ଏ ଦୂରାଵସ୍ଥା କାହାରି ଆଖିରେ ପଡୁନି । ବର୍ଷା ଶୀତରେ ଥରଥର ହେଉଥିବା ଏ ଅସହାୟ ବୃଦ୍ଧାଙ୍କ ପ୍ରତି କଣ ସତରେ କୌଣସି ସରକାରୀ ଯୋଜନା ନାହିଁ ନା ବାସ୍ତବରେ ସବୁ ଦେଖି ନେତା ଓ ପ୍ରଶାସନିକ ଅଧିକାରୀ ଚୁପ ହୋଇ ବସିଛନ୍ତି ।
ଗୋଟିଏ ପଟେ ମାଳ ମାଳ ଯୋଜନା ପ୍ରଣୟନ ହେଉଥିବାବେଳେ ପରିଣତ ବୟସରେ ଜଣେ ବରିଷ୍ଠ ନାଗରିକ ଏମିତି ଅବସ୍ଥା ଆଉ କେତେ ଦିନ ଭୋଗିବେ। ଏମିତି ଅନେକ ପ୍ରଶ୍ନ ଏ ବିଧି ବ୍ୟବସ୍ଥାକୁ ରହିଥିବାବେଳେ କେବେ ଏ ଅସହାୟ ବୃଦ୍ଧାଙ୍କ ପ୍ରତି ସରକାରୀ ଦୃଷ୍ଟି ପଡୁଛି ତାହାହିଁ ଦେଖିବାକୁ ବାକି ରହିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ