ବାଲେଶ୍ବର/ଖୋର୍ଦ୍ଧା: କ୍ଷେତ ସାରା ଜୁଆଡେ ଆଖି ବୁଲାଇବେ ଖାଲି ପୋକ ଆଉ ପୋକ । ପାଚିଲା ଧାନରେ ଚରି ଯାଉଛନ୍ତି ଚକଡା ପୋକ । ବର୍ଷକ ପରିଶ୍ରମର ସୁନାର ଫସଲ ଉଜୁଡି ଯାଇଛି । ଆଉ ଏଥିପାଇଁ ଚାଷୀ ଏବେ ହତାଶ ଆଉ ନିରାଶ । ବାଲେଶ୍ବର ଜିଲ୍ଲାରେ ବାତ୍ୟା ୟାସ ଓ ପରେ ଲଘୁଚାପର ପ୍ରକୋପରେ ଧରାଶାୟୀ ହୋଇପଡିଥିଲା ଶସ୍ୟକ୍ଷେତ । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଏପଟେ ଦୁର୍ବିପାକ ପରେ ଅଣ୍ଟା ସଳଖିବା ଆରମ୍ଭ କରିଥିଲା ଧାନଗଛ । ଠିକ କେଣ୍ଡା ବାହାରିବା ବେଳକୁ ପୁନଶ୍ଚ ଚକଡା ପୋକର ପ୍ରହାର ଆଉ ରୋଗ ପୋକ ଦାଉରେ ଉଜୁଡି ଯିବାକୁ ବସିଛି ଫସଲ । ବସ୍ତା ବ୍ଲକର ୨୦ ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ବନ୍ୟାରେ ପ୍ରାୟ ୫ ହଜାର ହେକ୍ଟର ନଷ୍ଟ ହୋଇଯାଇଥିଲା । ବରୁଣ ଗଡିଆ, ବ୍ରାହ୍ମୁଣଦା, ଦରଡା, ନଟାକଟା, କୁଳିଦା, ବାସିଚକୁରାଇ, ବାହାର୍ଦା, ମଥାନୀ, ମୁକୁଳିସି, ଇଡଦା ଆଦି ପଞ୍ଚାୟତର ଧାନ ଚାଷରେ ବ୍ୟାପକ କ୍ଷତି ହୋଇଛି ।
ସମାନ ଅବସ୍ଥା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି । ସିକୋ, ଶଗଡ଼ଭଙ୍ଗା, ହଜ ଓ ହୀରାପୁର ଆଦି ପଞ୍ଚାୟତରେ ଚକଡ଼ା ପୋକ ଲାଗି ଧାନ ଫସଲରେ ନଷ୍ଟ କରିବାକୁ ବସିଲାଣି । ସିକୋ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ୫୪ ଏକର ଫସଲ ଚକଡ଼ା ପୋକ ଦ୍ବାରା ଆକ୍ରାନ୍ତ । ଘଟଣା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଅବଗତ ଥିବାବେଳେ କିପରି ଚକଡ଼ା ପୋକର ନିରାକରଣ ହୋଇପାରିବ ସେଥିପାଇଁ ସ୍ଥାନୀୟ କୃଷି ଅଧିକାରୀ ଚାଷୀଙ୍କୁ ସଚେତନ କରୁଥିବା କହିଛନ୍ତି ।
ଥୋଡ ବାହାରିବା ବେଳେ ପୋକ ଲାଗିବାରୁ ଗଛ ନାଲି ପଡିଗଲାଣି । ପତ୍ର ସୁଖିବା ଆରମ୍ଭ କଲାଣି, କେଣ୍ଡା ଆହାର ନପାଇ ନଷ୍ଟ ହେବାକୁ ବସିଲାଣି । ଚାଷୀ ଯେତେ ସାର-ଔଷଧ ପ୍ରୟୋଗ କଲେ ବି କିଛି ଲାଭ ହେଉନାହିଁ । ଋଣ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ସ୍ଥିତିରେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ