ବାଲେଶ୍ବର : ବ୍ୟାଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଚାଲିଗଲା 10 ଲକ୍ଷ ଫିକ୍ସ ଡିପୋଜିଟ ଟଙ୍କା। ଗୋଟିଏ ଦିନ ପରେ ପୁଣି ବାକି ସଞ୍ଚିତ ଅକାଉଣ୍ଟରୁ ଚାଲିଗଲା 2 ଲକ୍ଷ 45 ହଜାର ଟଙ୍କା। ଏମିତି ସାଇବର ଠକାମୀର ଶିକାର ହୋଇଛନ୍ତି ବାଲେଶ୍ଵର ଜିଲ୍ଲା ନୀଳଗିରି ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ତାଙ୍କ ସ୍ବାମୀ । ଏନେଇ ଆଜି (ଗୁରୁବାର) ବ୍ୟାଙ୍କ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ବାଲେଶ୍ଵର ଇଣ୍ଡସ ଇଣ୍ଡ ବ୍ୟାଙ୍କରେ ଜ୍ୟୋତ୍ସ୍ନାଙ୍କ ନାମରେ 5 ଲକ୍ଷ ଲେଖାଏଁ ଦୁଇଟି ଫିକ୍ସ ଡିପୋଜିଟ ରହିଥିଲା। ଏହାସହ ସେଭିଂ ଆକାଉଣ୍ଟରେ 2 ଲକ୍ଷ 45 ହଜାର ଟଙ୍କା ରହିଥିଲା।
28 ତାରିଖରେ ତାଙ୍କର ଫିକ୍ସ ଥିବା 10 ଲକ୍ଷ ଟଙ୍କା ସାଇବର ଠକ ଲୁଟିନେଇଥିବା ବେଳେ 29 ତାରିଖ ସେଭିଂରେ ଥିବା 2 ଲକ୍ଷ 45 ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ 29 ତାରିଖରେ ଜ୍ୟୋତ୍ସ୍ନା ଓ ତାଙ୍କ ସ୍ବାମୀ ବ୍ୟାଙ୍କକୁ ଆସି ବୁଝାବୁଝି କରିବା ସହ ସାଇବର ଥାନାରେ ଅଭିଯୋଗ କରିଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ସନ୍ତୋଷ ଜନକ ଉତ୍ତର ନ ପାଇବା ଏବଂ 10 ଲକ୍ଷ ଟଙ୍କା ଲୁଟ ହେବାପରେ ସେଭିଂ ଟଙ୍କାକୁ ଫ୍ରିଜ କରିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତର ସହ ନେଇ ନଥିବାରୁ ସେମାନଙ୍କ 2 ଲକ୍ଷ 45 ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ।
ଏନେଇ ଦମ୍ପତ୍ତି ବ୍ୟାଙ୍କ ଆଗରେ ଧାରଣାରେ ବସିଥିଲେ। ପରେ ପୋଲିସ ସେମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲା। ଅନ୍ୟପଟେ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ ପରେ ଜଣାପଡିଛି ଯେ, ଗ୍ରାହକ ସେବାକେନ୍ଦ୍ର(customer care) ନାଁରେ କେହି ଜଣେ otp ମାଗିଥିଲା। ଯାହା ପ୍ରଦାନ ପରେ ଏମିତି ଠକେଇ ହୋଇଛି। ବାଲେଶ୍ଵରରେ ନୂତନ ଭାବେ ସାଇବର ଥାନା ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ କେଶ। ଏଥିପାଇଁ ଏହି ମାମଲାକୁ ଗୁରୁତର ସହ ନିଆଯିବ ବୋଲି ସାଇବର ଥାନା ପକ୍ଷରୁ କୁହାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ