ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ହୋଇ ସଦର ବ୍ଲକରେ ଅନେକ କ୍ଷୟକ୍ଷତି ହୋଇଛି । ବିଶେଷ ଭାବେ ଚାଷଜମି ପ୍ରଭାବିତ ହୋଇଛି । ମାତ୍ର ପ୍ରଶାସନ ପକ୍ଷରୁ ହୋଇଥିବା ବନ୍ୟା କ୍ଷୟକ୍ଷତିରେ ସଦର ବ୍ଲକକୁ ବାଦଦେବା ନେଇ ସଦର ବିଜେପି ଉଦବେଗ ପ୍ରକାଶ କରିଛି । ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିବାଦ ଜଣାଇଛନ୍ତି ବିଜେପି ।
ବନ୍ୟା ପରିଚାଳନାର ଅବ୍ୟବସ୍ଥାକୁ ନେଇ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଗତ ମାସ ଶେଷ ସପ୍ତାହରେ ଲଘୁଚାପ ଯୋଗୁଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ଫଳରେ ବୁଢାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବା ଫଳରେ ଧାନ ଚାଷ କ୍ଷତି ହୋଇଥିଲା। ଜଳକା, ବୁଢାବଳଙ୍ଗ ନଦୀର ବନ୍ୟା ସାଙ୍ଗକୁ ସୋନ ନଦୀର ଉପରମୁଣ୍ଡରେ ଥିବା ସୁନେଇ ଓ କାଳଡ୍ୟାମ ପାଣି ଛାଡିବା ଯୋଗୁଁ ଚାଷ ପାଣି ବୁଡିରହିବା ଫଳରେ ରୁଆ କାର୍ଯ୍ୟ ଚାଲିଥିବା ଓ ଅଳ୍ପ ଦିନ ଆଗରୁ ରୁଆ ସରିଥିବା ଧାନ ହଜାର ହଜାର ହେକ୍ଟର ଜମିରେ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-ସ୍କୁଲ ଶୌଚାଳୟରେ ଶିଶୁପୁତ୍ରକୁ ଜନ୍ମ ଦେଲା ନାବାଳିକା, ଜୁନିୟର ସହପାଠୀ ଥିଲା ପ୍ରେମିକ
ପ୍ରଶାସନିକ ସ୍ତରରେ ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ବ୍ଲକରେ ପାଖାପାଖି ୮ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବାର ଘୋଷଣା କରାଯାଇଥିବା ବେଳେ ସଦର ବ୍ଲକକୁ ଏଥିରେ ସାମିଲ ନକରିବା ଏଠାକାର କ୍ଷତିଗ୍ରସ୍ତ ଚାଷୀକୂଳକୁ ନିରାଶ କରିଛି। ଏମିତି ତ୍ରୁଟିପୂର୍ଣ୍ଣ ତଦନ୍ତକୁ ବାଦ ଦେଇ ପୁନଃ ତଦନ୍ତ କରି ସଠିକ ଭାବେ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଲନୀରେ ଦାବି ହୋଇଛି। ତୁରନ୍ତ ଏନେଇ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି ।