ବାଲେଶ୍ବର: ବିବାହ ପ୍ରୋସେସନରେ ଡିଜେ ସାଉଣ୍ଡ ଯୋଗୁଁ ଜଣେ କୁକୁଡ଼ା ଚାଷୀଙ୍କ ବ୍ୟାପକ କୁକୁଡ଼ା ମରିଯାଇଥିବା ପରି ସଙ୍ଗୀନ ଅଭିଯୋଗ ଥାନାରେ ପହଞ୍ଚିଛି । ଏପରି ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କାଣ୍ଡଗରଡ଼ି ଗ୍ରାମରେ । ତେବେ ଚାଷୀଙ୍କ ଏତଲା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।
ଅଭିଯୋଗ ଆନୁସାରେ, ସୋମବାର ରାତିରେ ଗ୍ରାମରେ ଏକ ବିବାହ ଉତ୍ସବ ଥିବାବେଳେ ବରଯାତ୍ରୀ ଖୁବ ଉଚ୍ଚ ଶବ୍ଦ ସମ୍ପନ୍ନ ଡିଜେ-ସାଉଣ୍ଡ ନେଇ ପ୍ରୋସେସନରେ ଆସିଥିଲେ । ଅତ୍ୟଧିକ ଶବ୍ଦ ଯୋଗୁ କୁକୁଡ଼ା ଫାର୍ମ କରିଥିବା ଚାଷୀ ରଞ୍ଜିତ ପରିଡା ସାଉଣ୍ଡ କମ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ । ମାତ୍ରାଧିକ ଶବ୍ଦ ଫଳରେ ତାଙ୍କ ଫାର୍ମରେ ପ୍ରାୟ ୬୩ଟି କୁକୁଡାଙ୍କ ମୃତ୍ୟୁ ହୋଇଥିବା ନୀଳଗିରି ଥାନାରେ ଏତଲା ଦେଇଛନ୍ତି ଚାଷୀ ରଞ୍ଜିତ ପରିଡା । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ