ବାଲେଶ୍ବର: ଜୀବନ ନଥିବା ଛୁଆକୁ ଗେଲ କରି ପକାଉଛି ମାଆ କୁକୁର । ମନ ଭିତରେ ରହିଛି, ପୁଣି ତା ପିଲା ଉଠିବ ଆଉ ତା ସହ ଖେଳିବ। ହେଲେ କେଉଁ ଏକ ଗାଡିର ଚକା ତଳେ ଚାଲିଯାଇଛି ଛୁଆ କୁକୁରର ଜୀବନ । ଅବୁଝା ମା' ମନ କ'ଣ ବୁଝୁଛି, ପିଲାଟିକୁ ଛାଡି ସେ ଜାଗା ଛାଡି ଯାଉନି ମା’ କୁକୁର । ପୁଣି ଉଠିବ ଏହି ଭରସାରେ ଚାହିଁ ରହିଛି । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । କୁକୁର ହେଲେ ବି ମା’ର ମମତା ସ୍ପଷ୍ଟ ବାରି ହୋଇପଡୁଛି । ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏ ଦୃଶ୍ୟ ।
ଏ ଦୃଶ୍ୟ ହୁଏତ ଆପଣଙ୍କୁ ବିଚଳିତ କରି ପାରେ। ମା' ର ମମତା ଆଗରେ ଆପଣଙ୍କ ହୃଦୟ ତରଳି ଯାଇପାରେ। ପଶୁ ହେଲେ ବି ମମତା ତା ହୃଦୟରେ ଭରି ରହିଛି। ଅବୁଝା ମନକୁ ବୁଝାଇ ସିନା ପାରୁନି ହେଲେ ଏ ମଣିଷକୁ ସେ ଅନ୍ତର ଭିତରେ ଦୋଷ ଦେଇ ଚାଲିଛି । ତା ଠାରୁ କ୍ଷଣିକେ ବି ନଜର ହଟୁନି । କାଳେ ତା ଛୁଆକୁ କିଏ ନେଇଯିବ । କାଳେ ମୋ ଛୁଆ ଉଠିପଡିବ । ଆଉ ମନେ ମନେ ତା ଛୁଆର ଏ ଅବସ୍ଥା କରିଥିବା ଦୋଷୀକୁ ଖୋଜି ଚାଲିଛି ମାଆ କୁକୁର ।
ସଭ୍ୟ ସମାଜର ଏ କ୍ରୁରତା ଆଗରେ ଆଜି ଅସହାୟ ମାଆର ମମତା ହାରି ଯାଇଛି। ଗାଡି ଚଳାଇବା ବେଳେ ଏମାନଙ୍କ ପ୍ରତି ଦୃଷ୍ଟି ଦେବାପାଇଁ ସତେ ଯେମିତି ମାଆ କୁକୁର ନେହୁରା ହେଉଛି। ସତରେ ଟିକିଏ ଅସାବଧାନତା ପାଇଁ ଆଜି ମାଆ କୋଳ ଖାଲି ହୋଇଯାଇଛି। ଏପରି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳୁଥିଲେ ବି ଗାଡି ଚାଳକମାନେ ସୁଧୁରୁ ନାହାନ୍ତି । ବାରମ୍ବାର ରାସ୍ତାରେ କୁକୁରକୁ ଗାଡି ଚାପି ଦେଇ ଚାଲିଯାଇଥିବା ଖବର ସାମନାକୁ ଆସୁଛି । ହେଲେ ସ୍ବାର୍ଥପର ହୋଇଯାଇଛି ଏ ମାନବ ସମାଜ । ନିଜ ଆଧିପତ୍ୟ ବିସ୍ତାର କରିବାରେ ଲାଗିପଡିଛି । ଏ ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ ଏମାନଙ୍କ ସୁରକ୍ଷା କଥା ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି। ସେପଟେ ଏଭଳି ଗାଡି ଚାଳକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବା ଜୁରରୀ ହୋଇପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ