ନୂଆଦିଲ୍ଲୀ : ନିକଟରେ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ହିଟ ଆଣ୍ଡ ରନ ମାମଲାରେ ଜୋରିମାନାର ପରିମାଣକୁ ବଢାଇ ଦିଆଯାଇଛି । ନୂଆ ଆଇନ ଅନୁସାରେ ଅଭିଯୁକ୍ତକୁ ୭ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷର ଜେଲ ଦଣ୍ଡ ମିଳିବ । ଏହି ଆଇନ ବିରୁଦ୍ଧରେ ଟ୍ରକ ଓ ବସ ଡ୍ରାଇଭରମାନେ ଦେଶର ସମସ୍ତ ସ୍ଥାନରେ ଧର୍ମଘଟ କରିଛନ୍ତି ।
ବ୍ରିଟିଶ ସମୟର ଭାରତୀୟ ଦଣ୍ଡ ସଂହିତା (ଆଇପିସି) କୁ ରଦ୍ଦ କରି ପାରିତ ହୋଇଥିବା ନୂଆ ଆଇନ ଅନୁସାରେ ଦୁର୍ଘଟଣା ସ୍ଥଳରୁ ପଳାୟନ କରିବା ଓ ଘଟଣା କୁ ରିପୋର୍ଟ ନ କଲେ ୧୦ ବର୍ଷର ଜେଲଦଣ୍ଡର ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ଆଇପିସି ଧାରା ୩୦୪A (ଦାୟିତ୍ବହୀନତାରୁ ମୃତ୍ୟୁ ) ଅନୁସାରେ ଅଭିଯୁକ୍ତଙ୍କୁ କେବଳ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଥିଲା । ସେହିପରି ଏହି ବିବାଦୀୟ ଆଇନକୁ ନେଇ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ କହିଛି ଯେ ଏହି ବ୍ୟବସ୍ଥା ଯାହା ଏଯାବତ୍ ଆରମ୍ଭ ହୋଇନାହିଁ ତାହା ଅନ୍ୟାୟପୂର୍ଣ୍ଣ ଉତ୍ପୀଡନର କାରଣ ମଧ୍ୟ ହୋଇପାରେ । ତେଣୁ ଏହାକୁ ପ୍ରତ୍ୟାହାର କରାଯିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ .... ବର୍ଷ ଆରମ୍ଭରୁ ବଦଳିଲା ନିୟମ, ଆଧାର କାର୍ଡରୁ ୟୁପିଆଇ ଆଇଡି
ମହାରାଷ୍ଟ୍ର , ରାଜସ୍ଥାନ, ହରିଆଣା , ମଧ୍ୟପ୍ରଦେଶ, ପଞ୍ଜାବ , ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ଟ୍ରକ ଓ ବସ ଚାଳକ ମାନେ ଧର୍ମଘଟରେ ବସିଛନ୍ତି । ଏହା ଦ୍ବାରା ଅନେକ ସହରରେ ଇନ୍ଧନର ଅଭାବ ଦେଖା ଦେଇଛି ଯେବେ କି ବହୁ ସଂଖ୍ୟକ ଯାତ୍ରୀ ଏହା ପାଇଁ ପ୍ରଭାବିତ ହୋଇଛନ୍ତି । ପେଟ୍ରୋଲ ପମ୍ପ ବାହାରେ ନିଜ ବାହନ ମାନଙ୍କରେ ତେଲ ଭରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ତେଲ ଟ୍ୟାଙ୍କରର ଚାଳକ ମାନେ ମଧ୍ୟ ହଡତାଲରେ ସାମିଲ ଅଛନ୍ତି । ଏହା ଯୋଗୁଁ କିଛି ରାଜ୍ୟରେ ଇନ୍ଧନର ଅଭାବ ଦେଖିବାକୁ ମିଳିଛି ।
ଗତ କାଲି (ସୋମବାର) ଠାରୁ ସମସ୍ତ ତେଲ ଟ୍ୟାଙ୍କର ଧର୍ମଘଟରେ ସାମିଲ ହୋଇଛନ୍ତି । ଏହି ଧର୍ମଘଟ ଯୋଗୁଁ ପେଟ୍ରୋଲ ସହିତ ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ପରିବହନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି , ଯାହା ଫଳରେ ପନିପରିବା ଆଦିର ଦରଦାମରେ ବୃଦ୍ଧିର ଆଶଙ୍କା ଦେଖା ଦେଇଛି । ସେହିପରି ବିଭିନ୍ନ ବାହନ ଚାଳକ ମାନଙ୍କ ଧର୍ମଘଟ ଦ୍ବାରା ଖାଉଟି ମାନଙ୍କର ସ୍କୁଲ ଅଫିସ ଠାରୁ ଆରମ୍ଭ କରି ହାଣ୍ଡିଶାଳ ଯାଏଁ ବ୍ୟାପକ ରୂପେ ପ୍ରଭାବିତ ହୋଇଛି । ଏପରିକି ପୁଣେ ଭଳି ବଡ ସହରରେ ମଧ୍ୟ ପନିପରିବାର ଦର ୨୦-୩୦ ପ୍ରତିଶତ ଯାଏଁ ବୃଦ୍ଧି ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ