ହାଇଦ୍ରାବାଦ: ପ୍ରତିଟି ଘଟଣା କିଛି କାରଣ ପାଇଁ ଘଟେ । ଏହାକୁ ଆପଣ ବୁଝିବା ଜରୁରୀ । ବର୍ତ୍ତମାନ ଭାରତୀୟ ପୁଞ୍ଜି ବଜାର ନୂଆ ରେକର୍ଡ ଛୁଉଁଛି । ବ୍ୟାଙ୍କ ସୁଧହାର ବୃଦ୍ଧି ପାଉଛି । ବିଶ୍ବର ବିଭିନ୍ନ ରାଷ୍ଟ୍ର ଉପରେ ମାନ୍ଦାବସ୍ଥା ଘନଉଥିବା ବେଳେ ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏପରି ସ୍ଥିତିରେ ଭବିଷ୍ୟତର ଲକ୍ଷ୍ୟ ପୂରଣ ପାଇଁ ଏକ ସୁଦୃଢ ଆର୍ଥିକ ଯୋଜନା ପ୍ରସ୍ତୁତ କରିବାର ପ୍ରୟୋଜନୀୟତା ରହିଛି । ଏକ ମଜବୁତ ଆର୍ଥିକ ଲକ୍ଷ୍ୟ ସ୍ଥିର କରି ଆପଣ ତଦନୁସାରେ ନିବେଶ କରିପାରିବେ ଯାହା ଦୀର୍ଘକାଳନରେ ଅଧିକ ଲାଭ ଦେବ ।
ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ଦୀର୍ଘକାଳୀନ ନିବେଶ ପ୍ରତି ଆଗ୍ରହୀ ନିବେଶକମାନେ ମ୍ୟୁଚୁଆଲ ଫଣ୍ଡକୁ ଚୟନ କରୁଛନ୍ତି । ତେବେ ଏହି କ୍ଷେତ୍ରରେ କିଛି ବିଷୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆର୍ଥିକ ଯୋଜନା ଓ ନିବେଶ ଦୁଇଟି ସମାନ କଥା ନୁହେଁ । ନିବେଶ ହେଉଛି ଆର୍ଥିକ ଯୋଜନାର ଏକ ଅଂଶ (Investments are a part of financial planning) । ଜୀବନର ବିଭିନ୍ନ ପର୍ଯ୍ୟାୟରେ କିପରି ଆବଶ୍ୟକୀୟ ପାଣ୍ଠି ହାସଲ କରିବେ ତାହା ଏକ କଠିନ ବିଷୟ । ଏହା ଜରିଆରେ ଆପଣ କେଉଁ ପ୍ରକାର ନିବେଶ ବାଛିବା ଉଚିତ୍ ସେନେଇ ସ୍ପଷ୍ଟ ହୋଇପାରିବେ । ଏହା ସ୍ବଳ୍ପ, ମଧ୍ୟମ ଓ ଦୀର୍ଘକାଳୀନ ଲକ୍ଷ୍ୟ ହାସଲ କରିପାରେ ସହାୟକ ହୋଇଥାଏ ।
ଏକ ଉପଯୁକ୍ତ ପ୍ଲାନ ବିନା ଆମେ ନିଜର ଆୟ, ବ୍ୟୟ ଓ ନିବେଶ ଉପରେ ନିୟନ୍ତ୍ରଣ ହରାଇଥାନ୍ତି । ଏଥିପାଇଁ ପ୍ରଥମେ ନିଜ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ଲକ୍ଷ୍ୟ ଚିହ୍ନଟ କରନ୍ତୁ । ଯେପରିକି ଘରଟିଏ କିଣିବା, ପିଲାଙ୍କ ଉଚ୍ଚଶିକ୍ଷା, ସେମାନଙ୍କ ବିବାହ ଓ ଅବସର ପ୍ଲାନ । ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଏବଂ ଏଥିପାଇଁ ଆବଶ୍ୟକ ପାଣ୍ଠି ପରିମାଣର ଆକଳନ କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହିସବୁ ବିଷୟ ପ୍ରତି ପୂର୍ବରୁ ଧ୍ୟାନ ଦେବା ନିତାନ୍ତ ଜରୁରୀ । ଯାହାଫଳରେ ସମୟ ଆସିଲେ ଏହା ଆପଣଙ୍କ ଇପ୍ସିତ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବ ।
ସେହିପରି ଲକ୍ଷ୍ୟଗୁଡିକର ପ୍ରାଥମିକତା ମଧ୍ୟ ଜରୁରୀ । କ'ଣ ତୁରନ୍ତ ହାସଲ କରାଯିବ ଓ କାହାକୁ ଭବିଷ୍ୟତ ପାଇଁ ଘୁଞ୍ଚାଇ ଦିଆଯାଇପାରିବ, ତାହା ଆପଣଙ୍କ ପାଖରେ ଥିବା ସମ୍ବଳ ଓ ଭବିଷ୍ୟତର ନିବେଶ ଉପରେ ଆଧାର କରି ଚିନ୍ତା କରିପାରିବେ । ସବୁ ଲକ୍ଷ୍ୟ ପାଇଁ ସମାନ ସମୟ ଦରକାର ନଥାଏ । କେହି କେହି ୩ରୁ ୫ ବର୍ଷ ଭିତରେ ଘର କିଣିବା ପାଇଁ ଚିନ୍ତା କରିପାରନ୍ତି । ଅନ୍ୟ କେହି ୧୦/୧୫ ବର୍ଷ ପରେ ଆସିବାକୁ ଥିବା ପିଲାମାନଙ୍କ ପାଠପଢା ଖର୍ଚ୍ଚ ସମ୍ପର୍କରେ ଭାବିଥାନ୍ତି । ସେହିପରି ଅବସର ପାଇଁ ୩୦ ବର୍ଷ ସମୟ ହୋଇପାରେ । ସ୍ବଳ୍ପ ମିଆଦି ଲକ୍ଷ୍ୟ ପାଇଁ ଦୀର୍ଘକାଳୀନ ନିବେଶକୁ ସ୍ଥଗିତ ରଖନ୍ତୁ ନାହିଁ । ଉଦାହରଣସୂରୁପ, ବର୍ତ୍ତମାନ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଯୋଗୁଁ ଅବସର ପାଇଁ ବିନିଯୋଗ ନ କରିବା ଭୁଲ୍ ।
ଏହାମଧ୍ୟ ପଢନ୍ତୁ: ସାରିଦିଅନ୍ତୁ ବ୍ୟାଙ୍କ କାମ, ଜାନୁଆରୀରେ ୧୪ ଦିନ ଛୁଟି
ଇକ୍ବିଟି ହେଉଛି ଦୀର୍ଘକାଳୀନ ନିବେଶ, ଯାହାକି ମୁଦ୍ରାସ୍ଫୀତି ଠାରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରେ । ଲମ୍ବା ସମୟ ଧରି ମାର୍କେଟରେ ରହିବାକୁ ହେଲେ ଏହାକୁ ବାଛିବା ଉଚିତ୍ । ସ୍ବଳ୍ପମିଆଦି ଲକ୍ଷ୍ୟ ପାଇଁ କମ୍ ରିସ୍କ ଥିବା ସ୍କିମ୍ ବ୍ୟାଙ୍କ ଫିକ୍ସଡ ଡିପୋଜିଟ, ପୋଷ୍ଟ ଅଫିସ ସେଭିଂ ସ୍କିମ୍, ବଣ୍ଡ ଓ ଡେବ୍ଟ ସ୍କିମକୁ ଚୟନ କରିବା ଉଚିତ୍ ।
ଥରେ ଲକ୍ଷ୍ୟ ସ୍ଥିର କରିବା ଓ ସେଗୁଡିକୁ ପ୍ରାଥମିକତା ଦେବା ପରେ କେଉଁ ଯୋଜନାରେ କେତେ ବିନିଯୋଗ କରିବେ ତାହା ଭାବନ୍ତୁ । ପ୍ରତ୍ୟେକ ବ୍ୟୟକୁ ମୁଦ୍ରାସ୍ଫୀତି ସହ ଗଣନା କରନ୍ତୁ । ଧରାଯାଉ, ବର୍ତ୍ତମାନ ଝିଅର ବିବାହ ପାଇଁ ୨୫ ଲକ୍ଷ ଖର୍ଚ୍ଚ ହେଉଛି । ୫ ପ୍ରତିଶତ ମୁଦ୍ରାସ୍ଫୀତି ସହିତ ହିସାବ କଲେ ୨୧ ବର୍ଷ ପରେ ଏହି ଖର୍ଚ୍ଚ ପାଇଁ ୭୦ ଲକ୍ଷ ଆବଶ୍ୟକ ହେବ । ଆଉ କେବଳ ୧୨ ପ୍ରତିଶତ ରିଟର୍ଣ୍ଣ ହାସଲକାରୀ ସ୍କିମ୍ରେ ନିବେଶ ଦ୍ବାରା ହିଁ ଏହି ଖର୍ଚ୍ଚ ତୁଲାଇବା ସମ୍ଭବପର ହୋଇପାରିବ । ଷ୍ଟକ ମାର୍କେଟରେ ଅସ୍ଥିରତା ସ୍ବାଭାବିକ ଅଟେ । ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ପାଇଁ ଇକ୍ବିଟି ମୁଚ୍ୟୁଆଲ ଫଣ୍ଡ ଚୟନ କରିବା ସମୟରେ ସ୍ବଳ୍ପମିଆଦି ଅସ୍ଥିରତାଗୁଡିକୁ ଅଣଦେଖା କରନ୍ତୁ । ନିୟମିତ ନିବେଶ ପାଇଁ ଆର୍ଥିକ ଅନୁଶାସନ ରହିବା ନିହାତି ଜରୁରୀ ।