ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଚମକିଲେ ଆଉ ଜଣେ ଓଡିଆ ପୁଅ । ମିଳିଲା ବଡ ଦାୟିତ୍ବ । ଭାରତର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଅଧ୍ୟକ୍ଷ ହେଲେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି । ଶୁକ୍ରବାର ଦିନ ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥଙ୍କୁ ଏଲଆଇସି ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ଜୁନ ୨୦୨୪ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ । ୨୦୨୪ ଜୁନରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ସେ ଏଲଆଇସିର ଏମଡି ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଆଉ ଏକ ବର୍ଷ ଅର୍ଥାତ ୨୦୨୫ ଜୁନ୍ ମାସ ଯାଏଁ କାର୍ଯ୍ୟ କରିବେ । ୨୦୨୩ ମାର୍ଚ୍ଚ ୧୪ରୁ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅନ୍ତରୀଣ ଅଧ୍ୟ ଭାବେ କାମ କରୁଛନ୍ତି ।
ଗତ ମାର୍ଚ୍ଚ ୧୪ ତାରିଖରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । ଏବେ ବିଧିବଦ୍ଧ ଭାବେ ତାଙ୍କୁ ଅଧ୍ୟକ୍ଷ ପଦ ପ୍ରଦାନ କରାଯାଇଛି । ୨୦୧୨ ମସିହାରେ ସିଦ୍ଧାର୍ଥଙ୍କୁ ଏଲଆଇସିର ଏମଡି ଭାବେ ନିଯୁକ୍ତ କରାଯାଇଥିଲା । ସେ ୧୯୮୫ ମସିହାରେ ଡାଇରେକ୍ଟର ରିକ୍ରୁଟ ଅଫିସର ଭାବେ ଏଲଆଇସିରୁ କ୍ୟାରିୟର ଆରମ୍ଭ କରିଥିଲେ । କମ୍ପାନୀର ଚିଫ ଲିଗାଲ, ଚିଫ ଇନଭେଷ୍ଟମେଣ୍ଟ, ଇଡି ଲିଗାଲ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଶିକ୍ଷାଗତ ଯୋଗ୍ୟତା: ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ପଲଟିକାଲ ସାଇନ୍ସ ବା ରାଜନିତୀ ବିଜ୍ଞାନରେ ସ୍ନାତକ ସାରିବ ସହ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ଇନସୁରାନ୍ସ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ବିଜନେସ ମ୍ୟାନଜେମେଣ୍ଟ ଆଣ୍ଡ ଲିସେଣ୍ଟିଏଟରେ ସ୍ନାତକ କରିଛନ୍ତି । କର୍ପୋରେଟ ସେକ୍ଟରରେ ସେ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ମାର୍କେଟିଙ୍ଗ, ଏଚଆର ଏବଂ ଇନଭେଷ୍ଟମେଣ୍ଟ ସ୍କେକ୍ଟରେ ସେ କାମ କରି ଦାୟିତ୍ବ ତୁଲାଇଛନ୍ତି । ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (FSIB) ଅଧ୍ୟକ୍ଷ ପଦ ପାଇଁ ସିଦ୍ଧାର୍ଥ ମହାନ୍ତିଙ୍କ ନାମ ସୁପାରିଶ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ଦ୍ୱାରା ମହାନ୍ତିଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।
୬୨ ବର୍ଷ ଯାଏଁ ଏଲଆଇସିରେ ରହିପାରିବେ ଅଧ୍ୟକ୍ଷ: ୨୦୨୩ ମାର୍ଚ୍ଚ ୧୪ରୁ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅନ୍ତରୀଣ ଅଧ୍ୟ ଭାବେ କାମ କରୁଛନ୍ତି । ମାର୍ଚ୍ଚ 13, 2023 ରେ LIC ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସରକାର ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ରେଗୁଲେସନ୍, 1960 ରେ ସଂଶୋଧନ କରାଯାଇ 2021 ଏଲଆଇସି ଅଧ୍ୟକ୍ଷଙ୍କ ଅବସର ବୟସକୁ 62 ବର୍ଷକୁ ବୃଦ୍ଧି କରିଥିଲେ ।
ପ୍ରକାଶଥାଉକି, ଏଲଆଇସି କ୍ଷେତ୍ରରେ ଓଡିଆ ପୁଅ ସିଦ୍ଧାର୍ଥଙ୍କ ପାଇଁ ଚାଲେଞ୍ଜ ହୋଇପାରେ । ଆଦାନି ଗ୍ରୁପରେ ଏଲଆଇସି ନିବେଶକଙ୍କୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ସେ ଏହି ସମୟରେ ଦାୟିତ୍ବ ନେଇଛନ୍ତି ।