ହାଇଦ୍ରାବାଦ: ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ପରେ ବ୍ୟାଙ୍କ ଋଣ ମହଙ୍ଗା ହୋଇଛି । ବିଶେଷକରି ଦୀର୍ଘମିଆଦି ହୋମ ଲୋନର ବର୍ଦ୍ଧିତ ସୁଧ ଲୋକଙ୍କ ଚିନ୍ତା ବଢାଇଛି । ଲୋକମାନେ ସୁଧ ବୋଝ ହାଲୁକା କରିବାକୁ ଯାଇ EMI(equated monthly installments)ରାଶି ହ୍ରାସ ଏବଂ ଲୋନ ଅବଧି ବୃଦ୍ଧି ଭଳି ଉପାୟ ଆପଣାଉଛନ୍ତି । ହେଲେ ଏହିଭଳି ପଦକ୍ଷେପ ନେବା ଲୋନକର୍ତ୍ତାଙ୍କ ପକେଟ ଉପରେ ଅଧିକ ପ୍ରଭାବ ପକାଇଥାଏ । ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେଣୁ ଯଥାଶୀଘ୍ର ହୋମ ଲୋନ ଶୁଝିବାକୁ ଚାହୁଁଥିଲେ ନିଜର ଆର୍ଥିକ ସ୍ଥିତିକୁ ବିଚାର କରି କ୍ଷୁଦ୍ର ସଞ୍ଚୟ ବା ଡିପୋଜିଟ ଭଳି କମ୍ ସୁଧ ଅର୍ଜନକାରୀ ପ୍ଲାନକୁ ନିଜର ଲୋନ ପରିଶୋଧ କରିବା ଦିଗରେ ବ୍ୟବହାର କରିବା ଉଚିତ୍ ।
![ହୋମ ଲୋନ ସୁଧ ପାଇଁ ଚିନ୍ତିତ କି ? ଜାଣିରଖନ୍ତୁ ଏହି ଟିପ୍ସ](https://etvbharatimages.akamaized.net/etvbharat/prod-images/16678305_563_16678305_1666162900615.png)
ସ୍ବଳ୍ପ ଦିନ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ୪ ଥର ରେପୋ ରେଟ୍ ବୃଦ୍ଧି କରିସାରିଲାଣି । ଯାହାଫଳରେ ଲୋକଙ୍କ ଉପରେ ଦିନକୁ ଦିନ ଲୋନ ବୋଝ ବଢି ଚାଲିଛି । କିଛି ମାସ ହେଲା ଦେଶରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହୁଛି । ଏହା ମଧ୍ୟ ଅନେକାଂଶରେ ସୁଧହାର ବୃଦ୍ଧିର କାରଣ ପାଲଟୁଛି । ଏପରି ସ୍ଥିତିରେ ଲୋକମାନେ ଯଦି ପୂର୍ବରୁ ଯୋଜନା ପ୍ରସ୍ତୁତ ନ କରିବେ ତାହାହେଲେ ଅବସର ପରେ ମଧ୍ୟ ତାଙ୍କୁ ଲୋନ ବୋଝ ବୋହିବାକୁ ପଡିପାରେ ।
ସାଧାରଣତଃ ହୋମ ଲୋନ ଟର୍ମ ୧୫ରୁ ୨୦ ବର୍ଷର ହୋଇଥାଏ । ଏହାର ଅର୍ଥ ବର୍ଷ ବର୍ଷ କାଳ ଋଣକର୍ତ୍ତା ଏହି ବୋଝ ମୁଣ୍ଡାଇଥାନ୍ତି । ଏହି ସମୟରେ ମଧ୍ୟରେ ସୁଧହାର ତଳ ଉପର ହୋଇଥାଏ । କାରଣ ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ନୂଆ ଲୋନ ପାଇଁ ଇଏମଆଇକୁ ଅଧିକ ମହଙ୍ଗା କରିଥାଏ । ତେଣୁ ସର୍ବଦା ନିର୍ଦ୍ଧାରିତ ସମୟ ପୂର୍ବରୁ ହୋମ ଲୋନ ଭଳି ଦୀର୍ଘମିଆଦି ଲୋନ ପରିଶୋଧ କରିବା ଉଚିତ୍ ।
ଅନେକ ସମୟରେ ଲୋକେ ଆବଶ୍ୟକ ପରିମାଣ ଠାରୁ ଅଧିକ ଲୋନ ନେଉଥିବାର ଦେଖିବାକୁ ମିଳେ । ସେହି ସମୟରେ ନିଜର ଆୟକୁ ଦେଖି ସେମାନେ ଏହି ଲୋନ ନେଇଥାନ୍ତି । ଯାହାର ପ୍ରଭାବ ତୁରନ୍ତ ଅନୁଭବ ହୋଇନଥାଏ । ମାତ୍ର ସୁଧହାର ବୃଦ୍ଧି ସହ କ୍ରମଶଃ ସେମାନଙ୍କ ବୋଝ ମଧ୍ୟ ବଢିଥାଏ । ତେବୁ ସବୁବେଳେ ଭଲ ଭାବେ ବିଚାର କରି ହିଁ ଲୋନ ନେବା ଆବଶ୍ୟକ ।
ଏହାମଧ୍ୟ ପଢନ୍ତୁ:ସର୍ବକାଳୀନ ରେକର୍ଡ ହ୍ରାସ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୩
ଲୋନ ଟର୍ମ କମାଇବାର ଅନ୍ୟ ଏକ ଉପାୟ ହେଲା, ଯଦି ଋଣକର୍ତ୍ତାଙ୍କ ମାସିକ ରୋଜଗାର ବଢୁଛି ତାହାହେଲେ ସେ ତଦନୁସାରେ ଇଏମଆଇ ରାଶି ମଧ୍ୟ ବୃଦ୍ଧି କରିପାରିବା ଉଚିତ୍ । ପ୍ରତିବର୍ଷ ଇଏମଆଇ ଅତିକମରେ ୫ ପ୍ରତିଶତ ବୃଦ୍ଧି କରନ୍ତୁ । ଏହାଦ୍ବାରା ନିଜର ହୋମ ଲୋନ ଅଥବା ଅନ୍ୟ ଲୋନଗୁଡିକୁ ଶୀଘ୍ର କ୍ଲୋଜ କରାଯାଇପାରିବ । ବୋନସ୍ ଏବଂ ଏଭଳି କିଛି ଆୟକୁ ଲୋନ ପରିଶୋଧରେ ବ୍ୟବହାର କରିବା ଉଚିତ୍ ।
ବର୍ତ୍ତମାନ ସମସ୍ତ ବାଣିଜ୍ୟିକ ବ୍ୟାଙ୍କଗୁଡିକ ୮ରୁ ୯ ପ୍ରତିଶତ ସୁଧରେ ହୋମ ଲୋନ ଅଫର କରୁଛନ୍ତି । ମାତ୍ର ବ୍ୟାଙ୍କ ଡିପୋଜିଟରେ ସେତିକି ସୁଧ ମିଳୁନାହିଁ । ତେଣୁ କମ୍ ସୁଧସମ୍ପନ୍ନ ଡିପୋଜିଟ ଠାରୁ ଦୂରେଇ ରହି ସେହି ଅର୍ଥ ଲୋନ ଶୁଝିବାରେ ଲଗାଇବା ଉଚିତ୍ । ଉଦାହରଣ ସୂରୁପ, ଆପଣଙ୍କ ହୋମ ଲୋନ ସୁଧ ୮.୫୫ ପ୍ରତିଶତ ଓ ବ୍ୟାଙ୍କ ଫିକ୍ସ ଡିପୋଜିଟ ସୁଧ ୭ ପ୍ରତିଶତ ଅଟେ । ଯଦି ଆପଣଙ୍କ ଆୟ ୨୦ ପ୍ରତିଶତ ଟ୍ୟାକ୍ସ ପରିସରରେ ଆସୁଛି, ତାହାହେଲେ ଡିପୋଜିଟର ବାର୍ଷିକ ଆୟ ୫.୬ ପ୍ରତିଶତ ରହିବ ।
ତେଣୁ ଭଲ ହେବେ ଫିକ୍ସ ଡିପୋଜିଟ ଅପେକ୍ଷା ସେହି ଅର୍ଥ ନିଜ ଲୋନ କ୍ଲୋଜ କରିବାରେ ଲଗାନ୍ତୁ । କମ୍ ସୁଧ ଆଶାରେ ଲୋନକୁ ଗୋଟିଏ ବ୍ୟାଙ୍କରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମୟରେ ଯତ୍ନବାନ ରହିବା ଆବଶ୍ୟକ । ଏଥିପାଇଁ ଦୁଇ ବ୍ୟାଙ୍କର ସୁଧରେ ତାରତମ୍ୟ ୦.୫ ପ୍ରତିଶତ କିମ୍ବା ଏହାଠୁ ଅଧିକ ହେବା ଉଚିତ୍ । ଦୀର୍ଘମିଆଦୀ ହୋମ ଲୋନ ନେବା ପୂର୍ବରୁ ଆମେ ଯଥାସମ୍ଭବ ନିଜର ଖର୍ଚ୍ଚ କାଟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଆମର ଏହିପରି ଛୋଟ ଛୋଟ ସଞ୍ଚୟ ବ୍ୟାଙ୍କ ଲୋନ ଶୁଝିବାରେ ସହାୟକ ହୋଇପାରେ । ଯଦି ଇଏମଆଇ ରାଶି ଅଧିକ ରହିଛି, ତେବେ ଏହାକୁ କମ୍ ସୁଧ ନେଉଥିବା ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫର କରିବା ନେଇ ବ୍ୟାଙ୍କ ସହ କଥା ହୋଇପାରିବେ ।