ନୂଆଦିଲ୍ଲୀ: ଚିତ୍ରା ରାମକୃଷ୍ଣ(Chitra Ramkrishna) ଏବଂ ଆନନ୍ଦ ସୁବ୍ରମଣ୍ୟମଙ୍କୁ(Anand Subramanian) ଝଟକା । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଜାଲିଆତି ମାମଲାର ଅଭିଯୁକ୍ତ ପୂର୍ବତନ ସିଇଓ ତଥା ଏମଡି ଚିତ୍ରା ଏବଂ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଦିଲ୍ଲୀରେ ଏକ କୋର୍ଟ ସେମାନଙ୍କ ଜାମିନ ଖାରଜ କରିଦେଇଛନ୍ତି । ବିଚାରପତି ସଞ୍ଜୀବ ଅଗ୍ରୱାଲ ଏହାକୁ ଖାରଜ କରିବା ସହ ଉଭୟଙ୍କୁ ଜାମିନ ଦେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।
ପ୍ରକାଶଥାଉ କି, ଏହା ଚିତ୍ରା ରାମକୃଷ୍ଣଙ୍କ ପ୍ରଥମ ଜାମିନ ଆବେଦନ ଥିଲା । ସୁବ୍ରମଣ୍ୟମ ଦ୍ବିତୀୟ ଥର ପାଇଁ କୋର୍ଟରେ ଜାମିନ ଆବେଦନ କରିଥିଲେ । ସେମାନଙ୍କୁ ଜାମିନ ମିଳିଲେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଥିବା ପୂର୍ବରୁ CBI କୋର୍ଟଙ୍କୁ କହିଥିଲା । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 'କୋ-ଲୋକେଶନ' ମାମଲାର ଗତ ମାର୍ଚ୍ଚରେ CBI ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ଫେବୃୟାରୀରେ ଆନନ୍ଦ ସୁବ୍ରମଣ୍ୟମ ଗିରଫ ହୋଇଥିଲେ ।
ଚିତ୍ରା ରାମକୃଷ୍ଣ 2013ରୁ 2016 ପର୍ଯ୍ୟନ୍ତ NSEର ସିଇଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ଜଣେ ହିମାଳୟର ଯୋଗୀଙ୍କ ସହ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଗୋପନୀୟ କଥା ଆଲୋଚନା କରି ବିଭିନ୍ନ ନିଷ୍ପତ୍ତି ନେଉଥିବା ସେବି (Securities and Exchange Board of India) ତଦନ୍ତରୁ ଜଣାପଡ଼ିଥିଲା । ପରେ ସେହି ଯୋଗୀ ଆନନ୍ଦ ସୁବ୍ରମଣ୍ୟମ ହୋଇଥିବା ସ୍ପଷ୍ଟ ହୋଇଥିଲା ।