ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କବଜାରେ ୟେସ ବ୍ୟାଙ୍କ । ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିବା ସହ ଭାଙ୍ଗିଲା ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ । ଏହାର ପ୍ରଭାବରେ ଧରାଶାୟୀ ୟେସ ବ୍ୟାଙ୍କ ସେୟାର ସୂଚକାଙ୍କ । ଟେନସନରେ ଜମାକର୍ତ୍ତା । ଧୋଇ ହୋଇଗଲା ନିବେଶକଙ୍କ ଟଙ୍କା । ଶୁକ୍ରବାର କାରବାରର କିଛି କ୍ଷଣ ପରେ ବ୍ୟାଙ୍କ ସେୟାର 80 ପ୍ରତିଶତ ହ୍ରାସ ପାଇଛି ।
ୟେସ ବ୍ୟାଙ୍କ ସ୍ଥିତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ମୋଦି ଏବଂ ତାଙ୍କ ବୁଦ୍ଧି ସବୁ ଦେଶ ଅର୍ଥନୀତିକୁ ଧ୍ବଂସ କରିଦେବ ବୋଲି ସେ କହିଛନ୍ତି । ବିଏସଇରେ ବ୍ୟାଙ୍କ ସେୟାର 24.96 ପ୍ରତିଶତ ହ୍ରାସ ସହ ସେୟାର ପ୍ରତି 27.65 ଟଙ୍କାର କାରବାର ଆରମ୍ଭ କରିଛି । ସକାଳ 11.35ରେ କାରବାରରେ ଏହାର ଦାମ 80 ପ୍ରତିଶତ ପର୍ଯ୍ୟନ୍ତ କମିବା ସହ 6 ଟଙ୍କାରେ ସେୟାର ଚାଲିଛି ।
ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବ୍ୟାଙ୍କ ସେୟାର ଆରମ୍ଭରେ 20 ପ୍ରତିଶତ କମି 29.45 ଟଙ୍କାରେ ପହଞ୍ଚିଛି । ସକାଳ 11ଟାରେ କାରବାର ବେଳେ ଏହା 80 ପ୍ରତିଶତ କମି ସେୟାର ପ୍ରତି 6 ଟଙ୍କାରେ ଚାଲିଛି । ଅନ୍ୟ ବ୍ୟାଙ୍କ ସେୟାରରେ ମଧ୍ୟ ହ୍ରାସ ପରିଲିଖିତ ହୋଇଛି । ସେପଟେ ଏସବିଆଇ , ଇଣ୍ଡସଇଣ୍ଡ ବ୍ୟାଙ୍କ , ଆକ୍ସିସ ବ୍ୟାଙ୍କ ସେୟାର ତଳମୁହାଁ ରହିଛି ।
ପ୍ରକାଶ ଯେ, ଆରବିଆଇର କଟକଣା ପରେ ୟେସ ବ୍ୟାଙ୍କ ଜମାକର୍ତ୍ତା ମାସକୁ 50 ହଜାର ଟଙ୍କା ଉଠାଣ କରିପାରିବେ । ସେହିପରି ବ୍ୟାଙ୍କର ପ୍ରଶାସକ ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି ।
ସଙ୍କଟରେ ଜୁଝୁଥିବା ୟସ ବ୍ୟାଙ୍କକୁ ଟ୍ରାକକୁ ଆଣିବା ସହ ଜମାକର୍ତ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଆରବିଆଇ ଜଣାଇଛି । ଏଥିପାଇଁ ସରକାରଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ଟଙ୍କା ଉଠାଣ ନେଇ ଜମାକର୍ତ୍ତାଙ୍କ ଉପରେ କଟକଣା ଲାଗିବା ପରେ ଏଟିଏମରୁ ଟଙ୍କା ଉଠାଣ କଷ୍ଟକର ହୋଇପଡିଛି । ଗ୍ରାହକ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଠିଆ ହେଉଛନ୍ତି । ବହୁ ସ୍ଥାନରେ ଏଟିଏମ ମେସିନ ବନ୍ଦ ପଡିଥିବା ଦେଖାଦେଇଛି ।